ବେକରେ ଓଢଣୀ ଲଗାଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

Published By : Prameya-News7 Bureau | January 15, 2019 IST

ଭଦ୍ରକ ୧୫|୧: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୟୁନିଫର୍ମ ପିନ୍ଧିଥିବା କଲେଜ ଛାତ୍ରୀ ଆଜି ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବାସୁଦେବପୁର ପୋଲିସ ଥାନା ପଛପଟେ ଥିବା ଗୋପାଳି ନାମକ ଏକ ଛାତ୍ରୀ ମେସ୍ ରେ ସେ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀଙ୍କ ନାଁ ସୁପ୍ରିୟା ମହାନ୍ତି । ସେ ବାସୁଦେବପୁର  ଅଟଳବିହାରୀ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ପ୍ରଥମ ବର୍ଷର ଛାତ୍ରୀ ଥିଲେ । ତାଙ୍କ ବାପାଙ୍କ ନାଁ ନରହରି ମହାନ୍ତି ଓ ତାଙ୍କ ନିଜ ଗାଁ ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ । ଆଜି ସକାଳେ ମେସ୍ ରେ ରହୁଥିବା ଅନ୍ୟ ଛାତ୍ରୀମାନେ କଲେଜକୁ ଗଲା ପରେ ସେ ମେସ୍ ରେ ଏକୁଟିଆ ଥିଲେ । ଏହି ସମୟରେ ସେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଆତ୍ମହତ୍ୟା କରିବା ପୂର୍ବରୁ ମେସ୍ ର କବାଟ ଭିତର ପଟୁ ବନ୍ଦ କରିଥିଲେ । କଲେଜରୁ ଅନ୍ୟ ସାଙ୍ଗମାନେ ଫେରିବା ପରେ ଭିତରୁ ପଟୁ କବାଟ ବନ୍ଦ ଥିବା ଦେଖିଥିଲେ । ଅଘଟଣ ଆଶଙ୍କାରେ ମେସ୍ ଘରର ମାଲିକଙ୍କୁ ଡାକିଥିଲେ । କବାଟ ଭାଙ୍ଗି ଭିତରକୁ ଗଲାପରେ ସୁପ୍ରିୟା ଓଢଣୀ ବାନ୍ଧି ଝୁଲିପଡିଥିବା ଦେଖିବାକୁ ମିଳିଥିଲା । ଘର ମାଲିକ ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

{"id":74212}

ଗତ ରବିବାର ଦିନ ସୁପ୍ରିୟା ବାସୁଦେବପୁର ନିକଟରେ ଥିବା ମନ୍ଦାରିକୁ ଯାଇଥିଲେ । ମନ୍ଦାରିରେ ତାଙ୍କ ମାମୁ ଘର । ୪ଦିନ ତଳେ ତାଙ୍କର ଜଣେ ଭାଇ ତାଙ୍କୁ ଏକ ମୋବାଇଲ ମଧ୍ୟ ଦେଇଥିଲେ । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଡାକ୍ତରଙ୍କଠାରୁ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.