କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରି ମାରିଦେଲେ, ନାଳ ପାଖରୁ ମିଳିଲା ମୃତଦେହ : ଓଦା ମାଟିରେ ରହିଛି ଘୋଷାଡିବା ଚିହ୍ନ...

Published By : Prameya-News7 Bureau | July 25, 2021 IST

ବଅଁରପାଳ ୨୫/୭:  ଅନୁଗୁଳ ସହର ଉପକଣ୍ଠରେ ଚାଞ୍ଚଲ୍ୟ । ଏକୁଟିଆ ପାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଇଲାକା ଗିିରିଧିବାସିଆ ଗାଁ’ରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ମୃତ କଲେଜ ଛାତ୍ରୀ ହେଲେ ଗିରିଧିବାସିଆ ଗାଁର ପ୍ରଶାନ୍ତ କୁମାର ଭୋଇଙ୍କ ଝିଅ ମଧୁସ୍ମିତା(୨୧) । ସେ ଗାଁ’ ପାଖ ନାଳକୁ ଗାଧୋଇବାକୁ ଯାଇଥିବା ବେଳ ଦୁର୍ବୃତ୍ତ ଏହି ବର୍ବରୋଚିତ କାଣ୍ଡ ଘଟାଇଛି । ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ଯୁବତୀଙ୍କ ମୃତଦେହ ଜବତ କରିବା ସହ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତ ଯୁବତୀଙ୍କ ବାପାଙ୍କ ଅଭିଯୋଗ ପରେ ପୁଲିସ୍‌ ୪ ଜଣ ଯୁବକଙ୍କୁ ଅଟକ ରଖି ଜେରା କରୁଛି ।

ଅପରପକ୍ଷରେ ଏହି ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ୍‌ ବିଳମ୍ବରେ ପହଞ୍ଚିବା ସହ ମୃତଦେହ ଉଠାଇବାରେ ବିଳମ୍ବକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଅନୁଗୁଳ-ମହୀଧରପୁର ରାସ୍ତା ଅବରୋଧ କରିଥିଲେ । ପ୍ରାୟ ୩ ଘଣ୍ଟାର ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡ଼ି ଅଟକି ରହିଥିଲା । ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପିକେ ବିଶ୍ୱାଳ, ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ତୀବ୍ର ଉତ୍ତେଜନା ଯୋଗୁଁ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା । ସନ୍ଧ୍ୟାରେ ମୃତଦେହ ଉଠିବା ପରେ ରାସ୍ତାରୋକ ହଟିଥିଲା । ପାରିପାଶ୍ୱିର୍କ ପରିସ୍ଥିତିରୁ ଏହି ଜଘନ୍ୟ ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ପ୍ରାପ୍ତ ସୂଚନା ମୁତାବକ, ଗିରିଧିବାସିଆ ଗ୍ରାମର ପ୍ରଶାନ୍ତ କୁମାର ଭୋଇଙ୍କ ସାନ ଝିଅ ହେଲେ ମଧୁସ୍ମିତା । ସେ ଅନୁଗୁଳ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଅଟନ୍ତି । ଏବେ କରୋନା ପାଇଁ କଲେଜ ବନ୍ଦ ଥିବା ବେଳେ ଘରେ ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିଲେ । ମୃତ ମଧୁସ୍ମିତାଙ୍କ ଉପରେ ଦୁଇ ଜଣ ବଡ଼ ଭଉଣୀ ରହିଥିବା ବେଳେ ଜଣଙ୍କର ବିବାହ ସରିଛି । ମଝିଆ ଭଉଣୀ ସହିତ ସେ ପ୍ରତିଦିନ ଘର ପାଖ ବାଲିଆଳି ନାଳର ଉଠା ଜଳସେଚନ ପଏଣ୍ଟ୍‌କୁ ଗାଧୋଇବାକୁ ଯାଇଥାନ୍ତି । ପ୍ରତିଦିନ ଦୁଇ ଭଉଣୀ ସାଥୀ ହୋଇ ଗାଧୋଇ ଯାଉଥିବା ବେଳେ ଶନିବାର ସକାଳ ସାଢ଼େ ୮ଟା ବେଳକୁ ମଧୁସ୍ମିତା ପ୍ରଥମେ ଗାଧୋଇବାକୁ ଯାଇଥିଲେ । ପ୍ରାୟ ଅଧଘଣ୍ଟା ପରେ ବଡ଼ ଭଉଣୀ ଗାଧୋଇବାକୁ ଯାଇଥିଲେ ହେଁ ମଧୁସ୍ମିତାଙ୍କୁ ପାଇନଥିଲେ । ମାତ୍ର ଜଳସେଚନ ପଏଣ୍ଟ୍‌ ପାଖରେ ବାଲ୍‌ଟି ଓ ସାବୁନ୍‌ ଥିବା ଦେଖିଥିଲେ । ବହୁ ଖୋଜା ଖୋଜି ପରେ ଭଉଣୀକୁ ନ ପାଇବାରୁ ସେ ଘରକୁ ଯାଇ ବାପାଙ୍କୁ ଜଣାଇଥିଲେ । ପରେ ସାହିପଡ଼ିଶା ଲୋକ ନାଳ ନିକଟକୁ ଖୋଜାଖୋଜି କରିବାକୁ ଆସିଥିଲେ । ପୂର୍ବାହ୍ଣ ପ୍ରାୟ ୧୦ଟା ବେଳକୁ ନାଳଠୁ ୫୦ ମିଟର ଦୂରରେ ମଧୁସ୍ମିତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ମାଟି ଓଦା ଥିବାରୁ ନାଳ ନିକଟରୁ ମଧୁସ୍ମିତାଙ୍କୁ ଘୋଷାଡ଼ି ନେବାର ଚିହ୍ନ ରହିଥିଲା । ଦୁର୍ବୃତ୍ତ ମଧୁସ୍ମିତାଙ୍କ ଦୁଇ ଗୋଡ଼ ତାଙ୍କ ଓଢ଼ଣୀରେ ବାନ୍ଧି ଦେଇଥିବା ବେଳେ ଘଟଣାସ୍ଥଳରେ ଖଜୁରୀ କଣ୍ଟା ଘୋଡ଼ାଇ ଦେଇଥିଲେ । କିଛି ସମୟ ମଧ୍ୟରେ ଏହି ଘଟଣା ପବନ ବେଗରେ ପ୍ରସାରିତ ହୋଇଥିଲା । ଖବରପାଇ ମହୀଧରପୁର ଫାଣ୍ଡି ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରିଥିଲା । ଘଟଣାସ୍ଥଳରେ ବହୁ ଲୋକଙ୍କ ଭିଡ଼ ହୋଇଥିଲେ ହେଁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନ ଥିଲା । ଘନଘନ ବର୍ଷାରେ ପରିବାର ଲୋକ ନାଳ ନିକଟରେ ବସି ରହିଥିଲେ । ଜଣେ ପୁଲିସ୍‌ କନେଷ୍ଟବଳ ମୃତଦେହକୁ ଜଗି ରହିଥିଲେ ।

ଅପରାହ୍ଣ ୪ଟା ପର୍ଯ୍ୟନ୍ତ କାହାରି ଦେଖାଦର୍ଶନ ନ ମିଳିବାରୁ ଗ୍ରାମବାସୀ ଅନୁଗୁଳ-ମହୀଧରପୁର ରାସ୍ତାକୁ ଅବରୋଧ କରିଥିଲେ । ଅପରାହ୍ଣ ସାଢ଼େ ୫ଟା ବେଳକୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହି ଜଘନ୍ୟ ହତ୍ୟାକାଣ୍ଡରେ ଏକାଧିକ ଯୁବକ ସାମିଲ୍‌ ଥିବା ପୁଲିସ୍‌ ଅନୁମାନ କରୁଛି । ଏ ସଂକ୍ରାନ୍ତରେ ବଅଁରପାଳ ଥାନା ଭାରପ୍ରାପ୍ତ ଅଧିକାରିଣୀ ରୀତା ପ୍ରଧାନ କହିଛନ୍ତି, ପାରିପାଶ୍ୱିର୍କ ପରିସ୍ଥିତିରୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପାଣିରେ ବୁଡ଼ାଇ ତାଙ୍କୁ ଶ୍ୱାସରୁଦ୍ଧ କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି । ଏହି ଘଟଣାରେ ୪ ଜଣ ଯୁବକକୁ ଅଟକ ରଖାଯାଇଛି । ମେଡିକାଲ୍‌ ରିପୋର୍ଟ ଆସିବା ପରେ ଘଟଣା ଅଧିକ ସ୍ପଷ୍ଟ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.