କଟକ ୨୧।୮: ଚଳିତ ବର୍ଷ କଟକରେ ହେବ ନାହିଁ ଗଣେଶ ପୂଜା । କରୋନା କଟକଣା ଯୋଗୁଁ ଗଣେଶ ପୂଜା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ପରମ୍ପରାଠାରୁ ମଣିଷ ଜୀବନ ମୂଲ୍ୟବାନ । ଗଣେଶ ପୂଜା ସହରରେ ହେଲେ ସାମାଜିକ ଦୂରତ୍ବ ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।
ଗୁରୁବାର ଦିନ ଟ୍ବିନ୍ ସିଟିରେ ଗଣେଶ ପୂଜା ଉପରେ କଟକଣା ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । ସ୍ଥାନୀୟ ପ୍ରଶାସନ ପୂଜା ଆୟୋଜନ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୂଜା ଆୟୋଜନ ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ଜନସ୍ବାର୍ଥ ମାମଲା କରିଥିଲା । ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପାଇଁ କହିଥିଲେ ହାଇକୋର୍ଟ ।
ପୂର୍ବରୁ କରୋନା କଟକଣା ଯୋଗୁଁ ଏବର୍ଷ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି ସୂଚନା ଦିଆଯାଇଥିଲା । ଗଣେଶ ପୂଜା ବନ୍ଦ କରିବାକୁ ନେଇ ଗତ ୧୩ ତାରିଖରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଥିଲା ।
ପୋଲିସ୍ କମିଶନରେଟ୍ ଟ୍ବିଟ୍ କରି ସୂଚନା ଦେଇଥିଲେ ଯେ, ଚଳିତ ବର୍ଷ କଟକ, ଭୁବନେଶ୍ବରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ଏବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଥିଲା ।