ମନ ବଦଳାଇଲେ ସରକାର : ‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ, କରୋନା ସ୍ଥିତି ପାଇଁ ପୂର୍ବ ନିଷ୍ପତ୍ତିରେ ବ୍ରେକ୍
9/08/2020 at 2:21 PM

ଭୁବନେଶ୍ୱର ୦୮।୦୯: ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ପ୍ରସଙ୍ଗ । ତେବେ କାଳିଆ ଟଙ୍କା ଫେରସ୍ତ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ସରକାର । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । କୃଷି ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।

କାଳିଆ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର । ପ୍ରାୟ ୫୧ ଲକ୍ଷ ଚାଷୀଙ୍କ ଖାତାକୁ ଯାଇଥିଲା କାଳିଆ ଟଙ୍କା । ତେବେ ଏମାନଙ୍କ ଭିତରୁ ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ସେଭଳି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଟଙ୍କା ଫେରାଇବା ଲାଗି ସେମାନଙ୍କ ପାଖକୁ ନୋଟିସ୍ ପଠାଯାଇଥିଲା । ରାଜ୍ୟ ସରକାର ପ୍ରାୟ ୧ ଲକ୍ଷ ୬ ହଜାର ଚାଷୀଙ୍କ ଠାରୁ ଟଙ୍କା ଆଦାୟ ପାଇଁ ନୋଟିସ୍ ଜାରି କରିଥିଲେ । ଯାହାକୁ ନେଇ ବିରୋଧୀ ଦଳମାନେ ଖୁବ୍ ଅଭିଯୋଗ ଆଣିଥିଲେ । ଏପରିକି ବିରୋଧୀ ଦଳର ନେତାମାନେ କହିଥିଲେ ଯେ, ଭୋଟରେ ଜିତି ସରିବା ପରେ ଏ ନୀତି କାହିଁକି । ଚାଷୀମାନେ ଟଙ୍କା ନଫେରାଇବାକୁ ବିରୋଧ ଦଳ କହିଥିଲେ । ଯେଉଁମାନେ ଚୟନ କରିଥିଲେ ସେମାନଙ୍କଠାରୁ ଆଦାୟ କରିବାକୁ ବିରୋଧ ଦଳ ଦାବି କରିଥିଲେ । କିନ୍ତୁ ବିଜେଡି ଏହାକୁ ଖଣ୍ଡନ କରିଥିଲା ।
ତେବେ ଆଜି କୃଷି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ରାଜ୍ୟରେ କରୋନା ସ୍ଥିତିକୁ ଦେଖି । ରାଜ୍ୟର ଅଯୋଗ୍ୟ ହିତାଧିକାରୀଙ୍କଠୁ ‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ ରଖାଯାଇଛି । ପ୍ରାୟ ୧ ଲକ୍ଷ ୬ ହଜାର ଚାଷୀଙ୍କ ଠାରୁ ଟଙ୍କା ଆଦାୟକୁ ସ୍ଥଗିତ ରଖାଯାଇଛି । ଏନେଇ କୃଷି ବିଭାଗ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ଲେଖିଛି ।