ଜନ୍ସନ୍ ବେବି ପାଉଡରରେ ରହିଛି କ୍ୟାନସର ସୃଷ୍ଟିକାରୀ କଣିକା ! : ଯାଞ୍ଚ ହେଲା ଯୋରଦାର, ଅଡୁଆରେ କମ୍ପାନୀ
21/12/2018 at 6:18 PM

ନୂଆଦିଲ୍ଲୀ ୨୧|୧୨: ଜନ୍ସନ୍ସ ବେବି ପ୍ରଡକ୍ଟ । ଦେଶ ସ୍ବାଧୀନତା ପାଇବାର ପରବର୍ଷ, ମାନେ ୧୯୪୮ ମସିହାରୁ ଏହି ଜନସନ୍ ଜନସନ୍ କମ୍ପାନୀ ଆମ ଦେଶକୁ ଆସିଛି । ବେବି ପ୍ରଡକ୍ଟ ବିକ୍ରି କ୍ଷେତ୍ରରେ ସାରା ଦେଶରେ ଏହା ଏକ ନମ୍ବର ସ୍ଥାନରେ ରହିଛି । କିନ୍ତୁ ଏବେ ଏହାର ପ୍ରଡକ୍ଟ ଡିସିଜିଆଇର ସ୍କାନରକୁ ଆସିଯାଇଛି । ଅଭିଯୋଗ ହେଉଛି ଯେ, ଜନସନ ବେବି ପାଉଡରରେ ରହିଛି କ୍ୟାନସର ସୃଷ୍ଟିକାରୀ କଣିକା ।

ସ୍କାନରରେ ଜନ୍ସନ୍ ବେବି ପାଉଡର। ଛୋଟ ପିଲାଙ୍କ ପାଇଁ ବ୍ୟବହାର ହେଉଥିବା ଏଇ ପାଉଡରରେ ରହିଛି କ୍ୟାନସର ସୃଷ୍ଟିକାରି ଆସ୍ବେଷ୍ଟୋସ୍। ଏମିତି କିଛି ଅଭିଯୋଗ ଆସିବା ପରେ ସାରା ଦେଶରେ ଥିବା କମ୍ପାନୀର ମାନୁଫାକ୍ଚରିଂ ସାଇଟ୍ ଏବଂ ମାର୍କେଟ୍ରୁ ସାମ୍ପୂଲ ସଂଗ୍ରହ କରାଯାଉଛି । ଏହାସହ ଗୁରୁବାର ଡ୍ରଗକଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ, ଡିସିଜିଆଇ ପକ୍ଷରୁ ଜନସନ୍ ଜନସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ମୁମ୍ବାଇ ଏବଂ ବାଦୀ କାରଖାନା କର୍ତ୍ତୃପକ୍ଷକୁ ନୋଟିସ୍ ଜାରି କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ପର୍ଯ୍ୟନ୍ତ କମ୍ପାନୀ କୌଣସି କଞ୍ଚାମାଲକୁ ନଷ୍ଟ ନକରିବାକୁ କୁହାଯାଇଛି।

ଜନସନର ମୁମ୍ବାଇ ସ୍ଥିତ ମୁଲୁଣ୍ଡ ପ୍ଲାଣ୍ଟରେ ବୁଧବାରଠାରୁ ଆରମ୍ଭ ହୋଇଛି ଯାଞ୍ଚ । ଏଠାରେ ପ୍ରାୟ ୨୦୦ ଟନ୍ କଞ୍ଚାମାଲ୍ ରହିଛି । ଜନସନ୍ ବେବି ପାଉଡର ସହ ଅନ୍ୟ ବେବି ପ୍ରଡକ୍ଟଗୁଡ଼ିକର ମଧ୍ୟ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । କମ୍ପାନୀ ତିଆରି କରୁଥିବା ବେବି ଲୋସନ, ବେବି ସୋପ୍, ବେବି ସାମ୍ପୋର ନମୂନା ସଂଗ୍ରହ କରାଯାଇ ସେଣ୍ଟ୍ରାଲ ଡ୍ରଗ୍ ଲାବୋରଟୋରୀକୁ ପଠାଯାଇଛି । ସେପଟେ ବହୁ ଲୋକପ୍ରିୟ ଏହି ପ୍ରଡକ୍ଟ ଉପରେ ଅଭିଯୋଗ ଆସିବା ପରେ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି ।

ଜନସନ୍ସ ବେବି ପାଉଡରରେ କ୍ୟାନସର ସୃଷ୍ଟିକାରୀ କଣିକା ରହିଥିବାର ଅଭିଯୋଗ ପ୍ରଥମେ ଆମେରିକାରୁ ଆସିଥିଲା । ଏହା ପରେ ଜୁଲାଇ ମାସରେ କମ୍ପାନୀ କର୍ତ୍ତୃପକ୍ଷକୁ ଆମେରିକା ଓ ଭାରତରେ ବିକ୍ରି ହେଉଥିବା ପ୍ରଡକ୍ଟର କମ୍ପୋଜିସନ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ପ୍ରଡକ୍ଟ ପୂରା ସୁରକ୍ଷିତ। ୫ ଥାକିଆ ଯାଞ୍ଚ୍ କରାଯାଇ ପ୍ରଡକ୍ଟ ପ୍ରସ୍ତୁତ କରାଯାଉଛି ।