ଦୁନିଆର ସବୁଠାରୁ ଥଣ୍ଡା ଜାଗା, ଯେଉଁଠାରେ ଲୋକେ ବରଫ ତରଳାଇ ପିଅନ୍ତି ପାଣି
20/12/2020 at 1:23 PM

ନୂଆଦିଲ୍ଲୀ ୨୦/୧୨ : ଭାରତରେ ପାରଦ ୧୫-୨୦ ଡିଗ୍ରୀ ତଳକୁ ଖସିଯାଇଛି। ସାରା ଦେଶରେ ଥଣ୍ଡା ଅନୁଭୂତ ହେଉଛି। ଉତ୍ତର ଭାରତରେ ହାଡଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପର୍ଯ୍ୟଟକ ଶୀତର ମଜା ନେଉଛନ୍ତି। ଭାରତରେ ୨-୩ ଡିଗ୍ରୀ ତାପମାତ୍ରା ଅର୍ଥାତ ହାଡଭଙ୍ଗା ଶୀତ। କିନ୍ତୁ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ଲୋକଙ୍କୁ ପାଣି ପିଇବାକୁ ହେଲେ ବରଫ ତରଲାଇବାକୁ ପଡିଥାଏ। ଏହିଭଳି ପରିବେଶରେ ମଧ୍ୟ ଲୋକେ ଜୀବନ ଜିଇଁବା ଶିଖିଯାଇଛନ୍ତି। ଯିଏ ଯେଉଁ ଜାଗର ବାସିନ୍ଦା ସେ ସେହି ଜାଗାରେ ଜୀବନ ବିତାଇବା ଶିଖିଯାଏ। ଆସନ୍ତୁ ଜାଣିବା ଦୁନିଆର ୧୦ଟି ସବୁଠାରୁ ଥଣ୍ଡା ଜାଗା ସମ୍ପର୍କରେ :

୧. ଉଲାନବାଟାର ମଙ୍ଗୋଲିଆ – ମୋଙ୍ଗୋଲିଆର ରାଜଧାନୀ ଉଲାନବାଟାର ଦୁନିଆର ସବୁଠାରୁ ଶୀତଳ ଅଞ୍ଚଳ ଅଟେ। ଏଠାରେ ତାପମାତ୍ରା କେବେବି ୧୬ ଡିଗ୍ରୀ ଉପରକୁ ଯାଏନାହିଁ। ମଙ୍ଗୋଲିଆ ଜନସଂଖ୍ୟାର ପ୍ରାୟ ଅଧା ଉଲାନବାଟାରରେ ବାସ କରନ୍ତି। ଏଠାକାର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଓ ସଂଗ୍ରହାଳୟ ଦେଖିବାକୁ ବହୁ ଦୂର ଦୁରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି।

୨. ଭୋଷ୍ଟୋକ ପାଣିପାଗ କେନ୍ଦ୍ର, ଆଣ୍ଟାର୍କଟିକା – ଆଣ୍ଟାର୍କଟିକାରେ ଅବସ୍ଥିତ ଋଷର ଏହି ଅନୁସନ୍ଧାନ କେନ୍ଦ୍ର ବା ରିସର୍ଚ୍ଚ ଷ୍ଟେସନ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ମଧ୍ୟରୁ ଗୋଟିଏ। ୧୯୮୩ ଜୁଲାଇ ୨୧ରେ ଏଠାରେ ତାପମାତ୍ରା ମାଇନସ ୮୯.୨ ଡିଗ୍ରୀ ଯାଏଁ ଯାଇଥିଲା। ଗ୍ରୀଷ୍ମ ଋତୁରେ ମଧ୍ୟ ଏଠାରେ ସ୍ଥିତିରେ ଅଧିକ ପରିବର୍ତ୍ତନ ହୁଏନାହିଁ। ଗ୍ରୀଷ୍ମ ଋତୁରେ ମଧ୍ୟ ତାପମାତ୍ରା ପ୍ରାୟ ମାଇନସ ୩୨ ଡିଗ୍ରୀ ରହିଥାଏ।

୩. ମାଉଣ୍ଟ ଡେନାଲି, ଆଲାସ୍କା – ସମୁଦ୍ରତଟରୁ ୬୧୯୦ ମିଟର ଉଚ୍ଚ ମାଉଣ୍ଟ ଡେନାଲି ଉତ୍ତର ଆମେରିକାର ସବୁଠାରୁ ଉଚ୍ଚ ପର୍ବତ। ୨୦୦୩ ମସିହାରେ ଏଠାରେ ତାପମାତ୍ରା ମାଇନସ ୮୩ ଡିଗ୍ରୀ ହୋଇଯାଇଥିଲା। ଏହି ପର୍ବତ ଶିଖର ବର୍ଷକ ୧୨ ମାସ ବରଫ ଓ ଗ୍ଲେସିୟର ଦ୍ୱାରା ଢାଙ୍କି ହୋଇ ରହିଥାଏ।

୪. ଭେରଖୋୟାଂସ୍କ, ଋଷ – ଉତ୍ତର ଋଷରେ ଅବସ୍ଥିତ ଭେରଖୋୟାଂସ୍କ ସବୁଠାରୁ ଶୀତଳ ଅଞ୍ଚଳ ମଧ୍ୟରୁ ଗୋଟିଏ। ଜାନୁଆରୀରେ ଏଠାରେ ତାପମାତ୍ରା ମାଇନସ ୪୮ ଡିଗ୍ରୀ ରହିଥାଏ। ସାଧାରଣତଃ ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ପାରଦ ଶୂନରୁ ତଳକୁ ରହେ। ଗ୍ରୀଷ୍ମ ଦିନରେ ଟିକିଏ ଆଶ୍ବସ୍ତି ମିଳେ। ସେତେବେଳେ ତାପମାତ୍ରା ପାଖାପାଖି ୩୦ ଡିଗ୍ରୀ ରହେ।

୫. ଇଣ୍ଟରନ୍ୟାସନାଲ ଫଲ୍ସ ମିନେସୋଟା, ଆମେରିକା – ଇଣ୍ଟରନ୍ୟାସନାଲ ଫଲ୍ସ ମିନେସୋଟା ଆମେରିକାର ସବୁଠାରୁ ଥଣ୍ଡା ସ୍ଥାନ। ସର୍ବନିମ୍ନ ତାପମାତ୍ରା ଯୋଗୁଁ ଏହି ଜାଗା ‘ଆଇସବକ୍ସ ଅଫ ଦ ନେଶନ’ ଟାଇଟଲ୍ ଜିତିଛି| ଇଣ୍ଟରନ୍ୟାସନାଲ ଫଲ୍ସ ଆଇସବକ୍ସ ଫେଷ୍ଟିଭାଲ ହଷ୍ଟିଙ୍ଗ କରି ଫ୍ରୋଜନ ଟର୍କୀ ବୋଲିଂ, ତୁଷାର ମୂର୍ତ୍ତି ଗଢିବା ଏବଂ ଫାୟାରୱର୍କ୍ସରେ ମଧ୍ୟ ଟାଇଟଲ୍ ଜିତିଥିଲା।

୬. ଫ୍ରେଜର, କଲରାଡୋ ଆମେରିକା – ସମୁଦ୍ରତଟରୁ ୨୬୧୩ ମିଟର ଉଚ୍ଚରେ ଅବସ୍ଥିତ ଫ୍ରେଜରରେ ୧୨୭୫ ଜଣ ରୁହନ୍ତି। ଏଠାରେ ତାପମାତ୍ରା ହାରାହାରି ୩ ଡିଗ୍ରୀ ରୁହେ। ‘ଆଇସବକ୍ସ ଅଫ ଦ ନେଶନ’ ଟାଇଟଲ୍ ଯୁଦ୍ଧରେ ଫ୍ରେଜର ଦ୍ୱିତୀୟ ସ୍ଥାନ ହାସଲ କରିଥିଲା।

୭. ସ୍ନେଗ୍, ୟୁକନ୍, କାନାଡ଼ା – ଉତ୍ତର ଆମେରିକାର ଏକ ଛୋଟ ଗାଁ ସ୍ନେଗ୍ ମଧ୍ୟ ନିଜ ତାପମାତ୍ରା ପାଇଁ ପ୍ରସିଦ୍ଧ। ୧୯୪୭ ମସିହାରେ ଏଠାରେ ତାପମାତ୍ରା ମାଇନସ ୬୩.୯ ଡିଗ୍ରୀ ହୋଇଯାଇଥିଲା। ୟୁକନ୍, କାନାଡ଼ାର ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ସ୍ଥାନ। ଏଠାରେ ପାଖାପାଖି ୩୬ ହଜାର ଲୋକ ବସବାସ କରନ୍ତି।

୮. ଓଇମୟାକନ, ଋଷ – ଓଇମୟାକନ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ମଧ୍ୟରୁ ଗୋଟିଏ। ଏଠାରେ ପାଖାପାଖି ୫୦୦ ଲୋକ ବସବାସ କରନ୍ତି। ଏଠାରେ ପାରଦ ମାଇନସ ୭୨ ଡିଗ୍ରୀ ଯାଏଁ ତଳକୁ ଖସିଯାଏ।

୯. ପୂର୍ବ ଆଣ୍ଟାର୍କଟିକା ପ୍ଲାଟ୍ୟୁ – ପୂର୍ବ ଆଣ୍ଟାର୍କଟିକା ପ୍ଲାଟ୍ୟୁକୁ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ବିବେଚନା କରାଯାଏ। ଏଠାରେ ତାପମାତ୍ରା ମାଇନସ ୧୦୦ ଡିଗ୍ରୀ ସେଲସିୟସ ଯାଏଁ ରେକର୍ଡ କରାଯାଇଛି।

୧୦. ଲୋଗାନ୍ ପାସ୍, ମୋଣ୍ଟାନା, ଆମେରିକା – ସମୁଦ୍ର ପତ୍ତନ ଠାରୁ ୫୬୧୦ ମିଟର ଉଚ୍ଚରେ ଅବସ୍ଥିତ ଲୋଗାନ୍ ପାସରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରୁହେ।

୧୯୫୪ ମସିହାରେ ଏଠାରେ ତାପମାତ୍ରା ମାଇନସ ୫୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ଏଠାରେ ତାପମାତ୍ରା ବଢିବା ସମ୍ଭାବନା ବହୁତ କମ୍।