ଓଡ଼ିଶାରେ ତୁଷାର ପାତ – ଥଣ୍ଡାର ଥାର୍ଡ ଡିଗ୍ରୀ

Published By : Prameya-News7 Bureau | December 29, 2019 IST

ଭୁବନେଶ୍ୱର ୨୯।୧୨ - ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ଗତ ସପ୍ତାହ ହେବ ସମଗ୍ର ରାଜ୍ୟରେ ପ୍ରବାହିତ ହେଉଥିବା ଶୀତଲହରୀ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ କାରଣରୁ ସନ୍ଧ୍ୟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡ଼ିଛି। ରାଜ୍ୟରେ ଶୀତପ୍ରକୋପ ଦିନକୁ ଦିନ ଅସମ୍ଭାଳ ହେଉଛି। ହାଡ଼ଭଙ୍ଗା ଶୀତରେ ସାରା ଓଡ଼ିଶାରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପଶ୍ଚିମରୁ ଉପକୂଳ ଏବଂ ଉତ୍ତରରୁ ଦକ୍ଷିଣ ସବୁଠି ପାରଦ ଭୟଙ୍କର ଭାବେ ଖସୁଛି।

{"id":203964,"sizeSlug":"large"}

 ଗତ ୨୪ଘଣ୍ଟା ଭିତରେ ରାଜ୍ୟର ସବନିମ୍ନ ତାପମାତ୍ରା ସୋନପୁରରେ ୪ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। କଟକ,ହୀରାକୁଦ, ସୁନ୍ଦରଗଡ଼ ଓ ଭବାନୀପାଟଣା ସମେତ ୧୩ଟି ସହରାଞ୍ଚଳରେ ତାପମାତ୍ରା ୧୦ ଡ଼ିଗ୍ରୀ ବା ତା ତଳକୁ ଖସିଥିବାବେଳେ ରାଜଧାନୀ ଭୁବନେଶ୍ବର ସମେତ ୧୯ଟି ସହରର ତାପମାତ୍ରା ୧୨ଡ଼ିଗ୍ରୀ ତଳେ ରହିଛି। ଆସନ୍ତା ଦୁଇରୁ ତିନିଦିନ ଭିତରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ରୁ ୬ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ଏହାଛଡ଼ା ନୂଆବର୍ଷ ଆରମ୍ଭରେ ଆସନ୍ତା ୧ତାରିଖରେ ରାଜ୍ୟରେ ବର୍ଷା ହେବ ବୋଲି ସୂଚନା ମିଳିଛି। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ନୂଆପଡ଼ା ଓ ବରଗଡ଼ରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି।

 ତେବେ ଆଗାମୀ ଦିନରେ ରାଜ୍ୟରେ ଅସମ୍ଭାଳ ଶୀତ ଲହରି ଲାଗି ରହିବ ବୋଲି ଆଇଏମ୍ଡିର ସୂଚନା ପରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ମୂଳକ ପଦକ୍ଷେପ ନେବାକୁ  ନିର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ସମସ୍ତ ବ୍ଲକ, ତହସିଲ, ଗ୍ରାମପଞ୍ଚାୟତକୁ ସମ୍ଭାବ୍ୟ ଶୀତ ଲହରୀ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି ଏସଆରସି। ଗରୀବ ଓ ନିରାଶ୍ରୟଙ୍କ ପାଇଁ  ରାତି ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆବଶ୍ୟକପଡିଲେ ସେମାନଙ୍କ ପାଇଁ ସ୍କୁଲ ଖୋଲିବାକୁ କୁହାଯାଇଛି । ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି । ରାଜ୍ୟର ୯ଟି ସହରରେ ତାପମାତ୍ରା ୯ ଡିଗ୍ରୀ ତଳେ ରହିଛି । ସବୁଠୁ ବଡ କଥା ହେଉଛି, ରାଜ୍ୟରେ ଯେଉଁ ସହରରେ ସବୁଠୁ ଅଧିକ ଗରମ ଅନୁଭତ ହେଉଥିଲା ସେଇ ସବୁ ସହରରେ ଏବେ ଅଧିକ ଶୀତ ଲହରି ଦେଖିବାକୁ ମିଳୁଛି । ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.