Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଡ ମାଡରେ ଥରୁଛି ଓଡିଶା ; ୧୦ଡିଗ୍ରୀ ତଳେ ୯ଟି ସହରର ତାପମାତ୍ରା, ୫ ତାରିଖରେ ଆଣ୍ଡାମାନରେ ଘୂର୍ଣ୍ଣିବଳୟ

ଭୁବନେଶ୍ବର ୦୨|୦୧: କମୁନି ଜାଡ଼। ଶୀତରେ ଥରୁଛି ସାରା ଓଡିଶା । ୧୯ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।  ୫ ଦିନ ହେଲା ଥଣ୍ଡାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ। ଦୁଇ ଦିନ ହେଲା ଗୋଟିଏ କିମ୍ବା ଦୁଇ ଡିଗ୍ରି ଏପାଖ ସେପାଖ ରହୁଥିଲେ ମଧ୍ୟ ଥଣ୍ଡା କମିବାର ନା ଧରୁନି। ଭୁବନେଶ୍ବରରେ ତାପମାତ୍ରା ୯.୫ ଡିଗ୍ରୀ ରହିଛି ।  ସେପଟେ  କନ୍ଧମାଳରେ ଶୀତ ଲହରି ଜାରି । ଫୁଲବାଣୀ ସମେତ ଜି.ଉଦୟଗିରି, ଫିରିଙ୍ଗିଆ ଆଦି ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ଦାରିଙ୍ଗିବାଡି ଓ ଜି.ଉଦୟଗିରିରେ  ୪ ଦିନ ଧରି ତୁଷାରପାତ ହେଉଛି । ଦାରିଙ୍ଗିବାଡିର ତାପମାତ୍ରା ୪ ଡିଗ୍ରୀ , ଜି.ଉଦୟଗିରିରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୪.୫ ଡିଗ୍ରୀ ସେଲସିୟସ ରହିଛି । କୋରାପୁଟରେ ପାରଦ ୬.୬ ଡିଗ୍ରିକୁ ଖସିଛି। ସକାଳ ୧୦ଟା ଯାଏ ଘନ କୁହୁଡି ଢାଙ୍କି ହୋଇ ରହୁଛି । ମୁହଁକୁ ମୁହଁ ଦେଖାଯାଉନି ।

ଶୀତ ପାଇଁ ଛୋଟପିଲାଠାରୁ ବୟସ୍କ ଲୋକ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଲେଣି । ବିଭିନ୍ନ ସ୍ଥାନରେ ତୁଷାରପାତ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ରାତି ସାରା ଖଳାରେ ଜଗି ରହୁଛି ଚାଷୀ  । ଦେହ ମୁଣ୍ଡ ଘୋଡାଇ ହେଲେବି ଶୀତ ଯାଉନି ।ଠାଏ ଠାଏ ଲୋକେ ନିଆଁ ପାଖରେ ବସୁଥିବାର ଦେଖିବାକୁ ମିଳୁଛି । ଥଣ୍ଡା ଉପଭୋଗ କରିବା ସହ ତୁଷାରପାତ ଦେଖିବାକୁ ଏବେ ଦାରିଙ୍ଗିବାଡିରେ ପର୍ଯ୍ୟଟକଙ୍କ ଭିଡ ।

 ଆସନ୍ତା ୫ ତାରିଖରେ ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ଥଣ୍ଡା କମିବ । ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନ ଏହାର ଦିଗ ପରିବର୍ତ୍ତନ କରିବ । ଏହା ଫଳରେ ଧିରେ ଧିରେ ଶୀତ କମିବ । ତେବେ ୫ରୁ ୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ଶୀତର ପ୍ରଭାବ ରହିବ । ଦିନରେ ଥଣ୍ଡାର ପ୍ରଭାବ ଜଣାନପଡିଲେ ବି ରାତିରେ ଅଧିକ ଥଣ୍ଡା ଅନୁଭୂତ ହେବ ।

186 Views

   ସମ୍ବନ୍ଧିତ ଖବର