ବରଗଡ଼ ଧନୁଯାତ୍ରା ଉପରେ ଇଂରାଜୀରେ କଫି ଟେବୁଲ୍ ବୁକ୍ ଉନ୍ମୋଚିତ

Published By : Prameya-News7 Bureau | February 21, 2019 IST

ଭୁବନେଶ୍ବର ୨୧|୨: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶା ଲାଇଭ୍ ମିଡିଆ ପକ୍ଷରୁ ଇଂରାଜୀ ଭାଷାରେ ପ୍ରସ୍ତୁତ କଫି ଟେବୁଲ୍ ବୁକ୍ ‘କଂସ ମହାରାଜା- ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଯୋଗଦେଇ ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ଵମାନେ କହିଛନ୍ତି ଯେ, ଓଡ଼ିଶାର ପ୍ରାଚୀନ ଏବଂ ଉନ୍ନତ ତଥା ସମସାମୟିକ କଳା ଓ ପରମ୍ପରାର ସଂରକ୍ଷଣ ଏବଂ ପ୍ରସାର କ୍ଷେତ୍ରରେ ସବୁଠାରୁ ବଡ଼ ମାଧ୍ୟମ ହେଉଛି ମିଡିଆ। ପ୍ରିଣ୍ଟ ମିଡିଆରୁ ଆରମ୍ଭ କରି ଟେଲିଭିଜନ୍ ଏବଂ ଆଜିର ଡିଜିଟାଲ୍ ଓ ମୋବାଇଲ୍ ମିଡିଆ ମାଧ୍ୟମରେ ପିଢ଼ି ପରେ ପିଢ଼ି ଏହି ସାଂସ୍କୃତିକ ବୈଚିତ୍ର‌୍ୟର ପ୍ରସାରଣ ଜାରି ରହିବ।

{"id":87325,"width":595,"height":396}

ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ତରୁଣ ପିଢ଼ିର ୪ ଜଣ ପ୍ରତିଭାବାନ୍ ଶିଳ୍ପୀଙ୍କୁ ‘ଓଡ଼ିଶା ଲାଇଭ୍ ୟୁଥ୍ ଆଇକନ୍’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଭାସ୍କର ଶିଳ୍ପୀ ନିତ୍ୟାନନ୍ଦ ଓଝା, ହିନ୍ଦୁସ୍ତାନୀ ସଙ୍ଗୀତ କଣ୍ଠଶିଳ୍ପୀ ଅରୋଶିଷ ପାଣି ଏବଂ ଦୁଇ ଓଡ଼ିଶୀ ନୃତ୍ୟାଙ୍ଗନା ମାହେଶ୍ଵରୀ ପ୍ରଧାନ ଓ ଅରୁଣିମା ଆଚାର୍ଯ୍ୟ ।

{"id":87326,"width":577,"height":384}

ଭୁବନେଶ୍ଵର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଅଡିଟୋରିୟମରେ ଆୟୋଜିତ ଏହି ସମାବେଶରେ ବରିଷ୍ଠ ସାମ୍ବାଦିକ ଶିଶିର କୁମାର ଭଟ୍ଟମିଶ୍ର ଓ ଧୃତିକାମ ମହାନ୍ତି ଅତିଥି ଭାବେ ଯୋଗ ଦେଇ କଳା ସଂସ୍କୃତିର ପ୍ରସାରଣ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ଵ ଦେଇଥିଲେ। ସେହିପରି ଲେଖିକା ହିରଣ୍ମୟୀ ମିଶ୍ର ଅତିଥି ଭାବେ ଯୋଗଦେଇ ଏହି ସୂଚନା ଓ ଗବେଷଣାଧର୍ମୀ ପୁସ୍ତକର ସମୀକ୍ଷା କରିଥିଲେ।

{"id":87327}

ଓଡ଼ିଶା ଲାଇଭ୍ ର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ ଏହି ସମାବେଶରେ ସ୍ଵାଗତ ଭାଷଣ ଦେଇଥିଲେ। ଓଡ଼ିଶାର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାରଣ ପାଇଁ ଓଡ଼ିଶା ଲାଇଭ୍ ର ଏଭଳି କ୍ଷୁଦ୍ର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ। ଏହି ସାଂସ୍କୃତିକ ଅଭିଯାନର ସଫଳତା ପାଇଁ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ସେ କୃତଜ୍ଞତା ଜଣାଇଥିଲେ।

{"id":87328}

ଓଡ଼ିଶା ଲାଇଭ୍ ପକ୍ଷରୁ ସିଦ୍ଧାର୍ଥ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ମିଡିଆର ନିର୍ଦ୍ଦେଶକ ପ୍ରଣତୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ ଭାସ୍କର ପରିଚ୍ଛା ପୁସ୍ତକ ଉନ୍ମୋଚନ ବେଳେ ମଞ୍ଚରେ ଉପସ୍ଥିତ ଥିଲେ। କଂସ ମହାରାଜା ପୁସ୍ତକର କଣ୍ଟେଣ୍ଟ ରାଇଟର ଶର୍ମିଲୀ ମହାପାତ୍ର, ଡିଜାଇନର୍ ସୁଧାକର ବିଶ୍ଵାଳ ଏବଂ ଏହାର ଗବେଷଣାରେ ସହଯୋଗିତା ପାଇଁ କେମନ୍ତ ସାହୁଙ୍କୁ ଓଡ଼ିଶା ଲାଇଭ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା।

{"id":87329}

ଏହି ଅବସରରେ ବିଶିଷ୍ଟ ଲେଖକ ପ୍ରଦୀପ ବିଶ୍ବାଳ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଡକ୍ଟର ଚିତରଂଜନ ପାଣି, ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ ଭାସ୍କର ପରିଚ୍ଛା ଚାରି ଜଣ ଯୁବ ପ୍ରତିଭାମାନଙ୍କୁ 'ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍' ସମ୍ମାନ ପ୍ରଦାନ କରିଥିଲେ। ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଏବଂ ବରିଷ୍ଠ ସାମ୍ବାଦିକ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ମଂଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଓଡ଼ିଶାଲାଇଭର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।

{"id":87330}

ଏହି ଅବସରରେ ପୁସ୍ତକର ପ୍ରକାଶନ ଲାଗି ସହଯୋଗର ହାତ ବଢ଼ାଇଥିବା ନାଲକୋ, ଓଡ଼ିଶା ଖଣି ନିଗମ ଏବଂ ଓଡ଼ିଶା ପର୍ଯ୍ୟଟନକୁ ଓଡ଼ିଶା ଲାଇଭ୍ ମିଡିଆ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମ ଶେଷ ଭାଗରେ ଅରୁଣିମା ଆଚାର୍ଯ୍ୟ ଏକ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

{"id":87331}

ବରଗଡ଼ ଧନୁଯାତ୍ରାର ଦୀର୍ଘ ୭ ଦଶନ୍ଧିର ପରମ୍ପରାକୁ ତଥ୍ୟ ଓ ଚିତ୍ର ମାଧ୍ୟମରେ ଏହି ପୁସ୍ତକରେ ଆକର୍ଷଣୀୟ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଇଛି। ବିଶେଷକରି, ଏହା ଅଣଓଡ଼ିଆ ପାଠକ, ପର୍ଯ୍ୟଟକ, ସାମ୍ବାଦିକ ଏବଂ ଗବେଷକମାନଙ୍କ ପାଇଁ ଉପାଦେୟ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.