ପିଲାଙ୍କ ଭ୍ୟାକସିନ ପାଇଁ ଆହୁରି କରିବାକୁ ପଡିବ ଅପେକ୍ଷା: ମଞ୍ଜୁରୀକୁ ଲାଗିବ ସମୟ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୦୭ : ଗୁଜରାଟ ସ୍ଥିତ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଜିଡସ କାଡିଲାର ଶିଶୁଙ୍କ ପାଇଁ ତିଆରି ହୋଇଥିବା କରୋନା ଭ୍ୟାକସିନ ଜାୟକୋବ-ଡି (Zycov-D) କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାକୁ ଆଉ କିଛି ଦିନ ସମୟ ଲାଗିପାରେ। ଜିଡସ କାଡିଲା ଜୁଲାଇ ୧ରେ ନିଜ କୋଭିଡ-୧୯ ଭ୍ୟାକସିନର ଜରୁରୀକାଳୀନ ଉପଯୋଗ ପାଇଁ ଭାରତର ଔଷଧି ମହାନିୟନ୍ତ୍ରକ ଡିସିଜିଆଇଠୁ ମଞ୍ଜୁରୀ ମାଗିଥିଲା। କମ୍ପାନୀ ଅନୁଯାୟୀ, କମ୍ପାନୀ ଭାରତରେ ଏବେ ସୁଦ୍ଧା ୫୦ ରୁ ଅଧିକ କେନ୍ଦ୍ରରେ ୨୮ ହଜାରରୁ ଅଧିକ ସ୍ବେଛାସେବୀଙ୍କ ଉପରେ ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ କରିଛି। ଅନ୍ତରୀଣ ଡାଟାରେ ଭ୍ୟାକସିନ ସୁରକ୍ଷିତ ବୋଲି ଜଣାପଡିଛି।

ଜିଡସ କାଡିଲା ଏକ ବୟାନରେ କହିଛି ଯେ, କମ୍ପାନୀ ଜାୟକୋବ-ଡି ପାଇଁ ଡିସିଜିଆଇର କାର୍ଯ୍ୟାଳୟରେ ଇୟୁଏ ପାଇଁ ଆବେଦନ କରିଛି। ଏହା କୋଭିଡ ବିରୋଧରେ ଏକ ପ୍ଲାସ୍ମିଡ ଡିଏନଏ ଭ୍ୟାକସିନ। ଡାଟା ଅନୁଯାୟୀ, ଜାୟକୋବ-ଡି ୧୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ସୁରକ୍ଷିତ। ଜିଡସ କାଡିଲା ପ୍ରତି ବର୍ଷ ନିଜ ଭ୍ୟାକସିନର ୧୨ କୋଟି ଡୋଜ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ମଞ୍ଜୁରୀ ମିଳିଲେ ଏହା କରୋନା ଭାଇରସ ରୋକିବାକୁ ଦୁନିଆର ପ୍ରଥମ ଡିଏନଏ ଆଧାରିତ ଟୀକା ଏବଂ ଦେଶରେ ଉପଲବ୍ଧ ପଞ୍ଚମ ଟୀକା ହେବ।

ଜିଡସ କାଡିଲା କରୋନାର ଦ୍ୱିତୀୟ ଲହର ସମୟରେ ନିଜ ଭ୍ୟାକସିନର ପରୀକ୍ଷଣ କରିଥିଲା। ଜିଡସ ଏକ ବୟାନରେ କହିଛି ଯେ କୋଭିଡର ନୂଆ ଭାରିଏଣ୍ଟ ବିରୋଧରେ ମଧ୍ୟ ଏହି ଭ୍ୟାକସିନ ପ୍ରଭାବୀ। ଭାରତ ବାୟୋଟେକର ଭ୍ୟାକସିନ ପରେ ଜାୟକୋବ-ଡି ଭାରତରେ ବିକଶିତ ଦ୍ୱିତୀୟ ଭ୍ୟାକସିନ ହେବ। ଜାୟକୋବ-ଡି ୩ ଡୋଜ ବିଶିଷ୍ଟ ଭ୍ୟାକସିନ ଏବଂ ନିଶ୍ଚିତ ଅନ୍ତରାଳ ମଧ୍ୟରେ ଏହି ୩ଟି ଡୋଜ ଦିଆଯିବ। ପ୍ରଥମ ଡୋଜର ୨୮ ଦିନରେ ଦ୍ୱିତୀୟ ଡୋଜ ଓ ୫୬ ଦିନରେ ତୃତୀୟ ଡୋଜ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.