ପାରାଦୀପରେ ଝଡବର୍ଷାରେ ସମୁଦ୍ରରେ ଫସିଥିବା ୧୪ ମତ୍ସ୍ୟଜୀବୀ ଉଦ୍ଧାର
22/09/2018 at 12:30 PM

ଜଗତସିଂହପୁର ୨୨|୯: ପାରାଦୀପ ଉପକୂଳଠାରୁ ଗଭୀର ସମୂଦ୍ର ମଧ୍ୟରେ ଫସିଥିବା ୨ଟି ମାଛଧରା ବୋଟ୍ ର ୧୪ଜଣ ମତ୍ସ୍ୟଜୀବୀଙ୍କୁ ଭାରତୀୟ ତଟ୍ଟରକ୍ଷୀ ବାହିନୀ ଉଦ୍ଧାର କରି ଆଜି କୂଳକୁ ଆଣିଛି। ଘଟଣାରୁ ଜଣାପଡିଛି ଯେ ଗତ ୨୦ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପରେ ଅବପାତ ରୂପ ନେଇ ଝଡ଼ ବାତ୍ୟାରେ ପରିଣତ ହୋଇଥିଲା। ଏହି ସମୟରେ ପାରାଦୀପରୁ ମାଛ ମାରିବାକୁ ଯାଇଥିବା ଅଧିକାଂଶ ମତ୍ସ୍ୟଜୀବୀ ଫେରି ଆସିଥିବା ବେଳେ ନିର୍ମାଣ-୬ ଓ ଓମ୍ ମା ପାର୍ବତୀ ନାମକ ୨ଟି ବୋଟ୍ ଫସିଯାଇଥିଲା । ଦୁଇଟି ବୋଟ୍ ରେ ୧୪ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ର ମଧ୍ୟରେ ଫସି ଯାଇଥିଲେ। ଝଡବାତ୍ୟାର ପ୍ରକୋପ ବଢିବା ସାଙ୍ଗକୁ ୧୪ଜଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖା ଦେଇଥିଲା। ତେବେ ଏନେଇ ମତ୍ସଜୀବୀଙ୍କ ସଂଘ ସ୍ଥାନୀୟ କୋଷ୍ଟଗାର୍ଡ କାର୍ଯ୍ୟାଳୟକୁ ଅବଗତ କରାଇଥିଲା। ଏନେଇ ସଙ୍ଗେ ସଙ୍ଗେ କୋଷ୍ଟଗାର୍ଡ ସିପ୍ ସୁଜୟ ସମୁଦ୍ର ମଧ୍ୟକୁ ଯାଇ ୨ଟି ବୋଟ୍ କୁ ଠାବ କରିବା ସହ ସେଥିରେ ଥିବା ୧୪ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ତେବେ ଆଜି ପାଗ ବଦଳିବା ପରେ କୂଳକୁ ଅଣାଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଛଡାଯାଇଛି। ଏନେଇ କୋଷ୍ଟଗାର୍ଡ ପକ୍ଷରୁ ପାଣିପାଗ ସମ୍ବନ୍ଧୀୟ ବିଶେଷ ତଥ୍ୟ ନେଇ ସମୁଦ୍ର ମଧ୍ୟକୁ ଯିବାପାଇଁ ମତ୍ସ୍ୟଜୀବୀ ସଂଘକୁ କୁହାଯାଇଛି।