ମାଛ ଧରୁଥିବା ବେଳେ କୋଷ୍ଟଗାର୍ଡ଼ଙ୍କ ଗୁଳିମାଡ଼ରେ ଟଳିପଡ଼ିଲେ ମତ୍ସ୍ୟଜୀବୀ : କ୍ଷତିପୂରଣ ସହ ଘଟଣାର ତଦନ୍ତ ଦାବି କଲା ମତ୍ସ୍ୟଜୀବୀ ସଂଘ

Published By : Prameya-News7 Bureau | January 12, 2019 IST

ପାରାଦୀପ୧୨|୧: ମାଛ ଧରୁଥିବା ବେଳେ କୋଷ୍ଟଗାର୍ଡ଼ଙ୍କ ଗୁଳିମାଡ଼ରେ ଟଳିପଡ଼ିଲେ ମତ୍ସ୍ୟଜୀବୀ । ବାଲେଶ୍ବର ଜମ୍ବୁ ମେରାଇନ୍‌ ଥାନା ଅଂଚଳରେ ଏହି ଅଘଟଣରେ ପ୍ରାଣ ହରାଇଛନ୍ତି ସ୍ଥାନୀୟ ନରଣପୁର ଅଂଚଳର ମତ୍ସ୍ୟଜୀବୀ ମାୟାଧର ମଲ୍ଲିକ । ଘଟଣାକୁ ନେଇ ମତ୍ସ୍ୟଜୀବୀ ସଂଘ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ନିଜ ତରଫରୁ ସଫେଇ ଦେଇଛନ୍ତି ଇଣ୍ଡିଆନ୍‌ କୋଷ୍ଟଗାର୍ଡ଼ ଡିଆଇଜି ।

{"id":73109,"width":573,"height":430}

ରାତି ପ୍ରାୟ ୧୦ଟା ହେବ । ଗଭୀର ସମୁଦ୍ର ଭିତରେ ଗୋଟିଏ ବୋଟ୍‌କୁ ଦେଖି ପିଛା କରିଥିଲେ ଇଣ୍ଡିଆନ୍‌ କୋଷ୍ଟଗାର୍ଡ଼ । ବିଭିନ୍ନ ପ୍ରକାର ସିଗ୍‌ନାଲ ଦେଇ ବୋଟଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ବୋଟ୍‌ଟି ଅଟକିବା ବଦଳରେ ଆହୁରି ଜୋର୍‌ରେ ପଳାଇଯିବାକୁ ଉଦ୍ୟମ କରିଥିଲା । ବାଧ୍ୟ ହୋଇ ଫାୟାରିଂ କରିଥିଲେ କୋଷ୍ଟଗାର୍ଡ଼ । ଆଉ ଗୁଳିମାଡ଼ରେ ଟଳିପଡ଼ିଥିଲେ ମାଛ ଧରା ବୋଟ୍‌ର ଚାଳକ ମାୟାଧର ମଲ୍ଲିକ । ତାଙ୍କୁ ଗରୁତର ଅବସ୍ଥାରେ ପାରାଦୀପ ବନ୍ଦର ମେଡିକାଲକୁ ଅଣାଯାଇଥିଲା । ସେଠାରେ ମାୟାଧରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମାୟାଧରଙ୍କ ଘର ବାଲେଶ୍ବର ନରଣପୁର ଅଂଚଳରେ । ବାଲେଶ୍ବର ଜମ୍ବୁ ମେରାଇନ୍‌ ଥାନା ଅଂଚଳରେ ଘଟିଛି ଏହି ଅଘଟଣ ।

{"id":73110,"width":572,"height":429}

ସେପଟେ ଭାରତୀୟ ତଟ୍ଟରକ୍ଷୀ ବାହିନୀର ଏଭଳି ସଫେଇକୁ କିନ୍ତୁ ମାନିବାକୁ ନାରାଜ୍‌  ନିଖିଳ ଓଡ଼ିଶା ମତ୍ସ୍ୟଜୀବୀ ସଂଘ ।  ସେମାନଙ୍କ କହିବା କଥା ସୀମା ଭିତରେ ରହି ମାଛଧରୁଥିବା ମତ୍ସ୍ୟଜୀବୀ ଯଦି କୌଣସି ନିୟମ ଉଲଂଘନ କଲେ ତାହେଲେ ତାଙ୍କୁ ଗିରଫ କରାଯାଇପାରିଥାନ୍ତା । ସେକଥା ନକରି ବାହ୍ୟ ଶତ୍ରୁଙ୍କ ଭଳି ସେମାନଙ୍କ ଉପରେ ଗୁଳି ଚଳାଇବା କ’ଣ ଦରକାର ଥିଲା ? ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ଘଟଣାର ତଦନ୍ତ ଦାବି କରିଛି ସଂଘ ।

{"id":73111,"width":579,"height":434}

ଗୋଟେ ପଟେ ଏହି ଘଟଣାରେ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ଼ ପକ୍ଷରୁ ସୀମା ସୁରକ୍ଷାର ଦ୍ବାହି ଦିଆଯାଉଛି । ସେପଟେ ଉଭୟ ବାଲେଶ୍ବର ଓ ପାରାଦୀପ ମତ୍ସଜୀବୀ ସଂଘ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି । ତେବେ ପ୍ରକୃତ ଘଟଣା କ’ଣ ତା’ର ଏକ ବିଧିବଦ୍ଧ ତଦନ୍ତର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.