ଓପିଜିସିରେ ଦେଖା ଦେଇଛି କୋଇଲା ସଂକଟ

Published By : Prameya-News7 Bureau | October 12, 2019 IST

ଝାରସୁଗୁଡା - ଓପିଜିସିରେ ଦେଖାଦେଇଛି କୋଇଲା ସଂକଟ |ଫଳରେ ଆସନ୍ତାକାଲି ଠାରୁ ଓପିଜିସିର ଗୋଟିଏ ୟୁନିଟ ବନ୍ଦ ହୋଇପାରେ |ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ରହିଥିବା ଓପିଜିସିର ୪ଟି ୟୁନିଟରୁ ୧୭୪୦ ମେଗାୱ୍ଟାଟ ବିଜୁଳୀ ଶକ୍ତି ଉତ୍ପାଦନ ହେଉଥିବା ବେଳେ ଏହା କମିବା ଆଶଙ୍କା ପ୍ରକାଶ ପାଇଛି |ଓପିଜିସିର ପ୍ରଥମ ଓ ଦ୍ୱିତୀୟ ୟୁନିଟରୁ ୪୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବା ବେଳେ ଦୈନିକ ଆବଶ୍ୟକ ୮ ହଜାର ମେଟ୍ରିକ୍ ଟନ କୋଇଲା |
ସେହିପରି ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ତୃତୀୟ ଓ ୪ର୍ଥ ୟୁନିଟରୁ ୧୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ ଆବଶ୍ୟକ ୧୬ ହଜାର ମେଟ୍ରିକ୍ ଟନ କୋଇଲା |ଏହିପରି ଦୈନିକ ୨୪ ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକତା ରହିଥିବା ବେଳେ ଏମସିଏଲ ଯୋଗାଉଛି ୧୦ ହଜାର ମେଟ୍ରିକ ଟନ କୋଇଲା |ଫଳରେ ଓପିଜିସିର ୪ଟି ଯାକ ୟୁନିଟ ଚଳାଇବା ଅସମ୍ଭବ ହୋଇ ପଡୁଛି |

ପୂର୍ବରୁ ଓପିଜିସିରେ ଗଚ୍ଛିତ ଥିବା କୋଇଲା ରୁ ୪ଟି ଯାକ ୟୁନିଟକୁ ଚଳାଇ ଆସୁଥିବା ଓପିଜିସିର ଗଚ୍ଛିତ କୋଇଲା ଶେଷ ହେଲାଣି |ଫଳରେ ଏମସିଏଲ କୋଇଲା ଯୋଗାଣ ବୃଦ୍ଧି ନକଲେ ଆସନ୍ତା କାଲି ଠାରୁ ୨ ନମ୍ବର ୟୁନିଟକୁ ବନ୍ଦ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛି ଓପିଜିସି କର୍ତ୍ତୃପକ୍ଷ |ଏହିଭଳି ଧାରା ବଜାୟ ରହିଲେ ଆଗକୁ ଆହୁରି ଅଧିକ ୟୁନିଟକୁ ବନ୍ଦ କରାଯାଇପାରେ ବୋଲି ଓପିଜିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣା ପଡିଛି |ଏହିପରି ସମସ୍ୟା ଲାଗି ରହିଲେ ରାଜ୍ୟରେ ବିଜୁଳି ସମସ୍ୟା ସୃଷ୍ଟି ହେବା ଆଶଙ୍କା ବଢିବାରେ ଲାଗିଛି |ଆସନ୍ତାକାଲି ଠାରୁ ଗୋଟିଏ ୟୁନିଟ ବନ୍ଦ ହେଲେ ୨୧୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହେବ |ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟ ସହ ମନୋହରପୁର କୋଲ ବ୍ଲକକୁ ମଧ୍ୟ ଉଦଘାଟନ କରିଥିଲେ |କିନ୍ତୁ ମନୋହରପୁରରୁ ଓପିଜିସି ପର୍ଯ୍ୟନ୍ତ ରେଳ ଲାଇନ୍ ନିର୍ମାଣ ପାଇଁ ଆହୁରି ୪ କିଲୋମିଟର ରାସ୍ତା ନିର୍ମାଣ ସରି ନଥିବା ଓ ଏଥିପାଇଁ ଏମସିଏଲ ଜମି ହସ୍ତାନ୍ତର କରୁ ନ ଥିବାରୁ କୋଇଲା ଉତ୍ତୋଳନ କରାଯାଇ ପାରୁ ନଥିବା ଓପିଜିସି ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.