କୋଇଲା ମହାଘୋଟାଲା ମାମଲା : CBI ଯାଞ୍ଚ ରଦ୍ଦକରିବା ଆବେଦନ ଉପରେ ଶୁଣାଣି ଘୁଞ୍ଚିଲା, ଟାର୍ଗେଟ୍ରେ ଦିଦିଙ୍କ ସହଯୋଗୀ
1/03/2021 at 2:58 PM

କୋଲକାତା ୦୧/୦୩ : କୋଇଲା ଘୋଟାଲା ମାମଲାର ମୁଖ୍ୟ ସୂତ୍ରଧାର ଅନୂପ ମାଝୀର ଆବେଦନ ଉପରେ ଶୁଣାଣିକୁ ଆସନ୍ତା ମାର୍ଚ୍ଚ ୧୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ଅନୁମତି ବିନା ସିବିଆଇ ଯାଞ୍ଚ ଉପରେ ପ୍ରଶ୍ନ ଉଠାଇଥିଲା ଅନୂପ ମାଝୀ । ତେବେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମଧ୍ୟ ସିବିଆଇ ତରଫରୁ ରୁଜୁ ହୋଇଥିବା ଏଫ୍ଆଇଆର୍କୁ ରଦ୍ଦ କରିବାକୁ ଆବେଦନ କରାଯାଇଥିଲା । ଆଜି ଆବେଦନକାରୀଙ୍କ ପକ୍ଷ ରଖିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏହା ସହିତ ସିବିଆଇର ଆବେଦନ ଉପରେ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।
ପଶ୍ଚିମବଙ୍ଗରେ ହୋଇଥିବା ବ୍ୟାପକ କୋଇଲା ଘୋଟାଲାର ଚେର କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଦେଶର ବିଭିନ୍ନ ସ୍ଥାନକୁ ଲମ୍ବିଛି । ଏଥିରେ କିଛି ସରକାରୀ ସଂସ୍ଥାସହ ଜଡିତ ଅଧିକାରୀମାନେ ମଧ୍ୟ ସନ୍ଦେହ ଘେରରେ ରହିଛନ୍ତି । ଏହାକୁ ଆଧାରକରି ଗତ ବର୍ଷ ନଭେମ୍ବର ମାସରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଆରମ୍ଭରୁ ଅନୂପ ମାଝୀ ସହିତ ପଶ୍ଚିମବଙ୍ଗର ବିଭିନ୍ନ ରାଜନେତା ସମ୍ପର୍କରେ ଥିବା ଜାଣିବାକୁ ପାଇଥିଲା ସିବିଆଇ । ଏହା ସହିତ ନେତାଙ୍କ ମୋଟା ଅଙ୍କର ଟଙ୍କା ଦିଆଯାଇଥିବା ମଧ୍ୟ ତଦନ୍ତରୁ ଜଣାପଡିଥିଲା ।

କେବଳ ସେତିକି ନୁହେଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ସମେତ ତାଙ୍କ ପତ୍ନୀଙ୍କୁ ମଧ୍ୟ ତଦନ୍ତ ପରିଷରଭୁକ୍ତ କରିଥିଲା ସିବିଆଇ । ଯାହାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । କୋଇଲା ଘୋଟାଲା ମାମଲାରେ ଅଭିଷେକ ବାନାର୍ଜୀଙ୍କ ଶାଳୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ସିବିଆଇ ।