ପୁଣି ବିକଟ ହେଲା କୋଇଲା ସଂକଟ, ବର୍ଷା ଯୋଗୁ ଝାଡଖଣ୍ଡ ଖଣିରେ ଉତ୍ପାଦନ ଓ ଯୋଗାଣ ପ୍ରଭାବିତ

Published By : Prameya-News7 Bureau | October 19, 2021 IST

ରାଞ୍ଚୀ ୧୯।୧୦: ଗତ ୪ ଦିନ ଧରି ଜାରି ବର୍ଷା ଝାଡଖଣ୍ଡର କୋଇଲା ଖଣିମାନଙ୍କରେ ଉତ୍ପାଦନ ଓ ବିତରଣକୁ ଗୁରୁତର ପ୍ରଭାବିତ କରିଛି। ଫଳରେ ଝାଡଖଣ୍ଡ ସମେତ ଅନ୍ୟ ରାଜ୍ୟର  ତାପଜ ବିଦ୍ୟୁତ ଉତ୍ପାଦନ ଲାଗି ପୁଣି ଥରେ ସଂକଟ ସୃଷ୍ଟି ହୋଇଛି। ଖଣିମାନଙ୍କରେ ପାଣି ପଶି ଯାଇଛି। ଏଣୁ ଉତ୍ପାଦନ ଠପ ହୋଇଯାଇଥିବା ବେଳେ କୋଇଲା ରାକ୍‌ ପଠାଇବା ଏବେ ସମ୍ଭବ ହୋଇପାରୁନି। ଏଥିରେ ଝାଡଖଣ୍ଡର ଦାମୋଦର ଭାଲି  ନିଗମର ୩ ପାୱାର ପ୍ଲାଣ୍ଟରେ ଦିନେ ଅଥବା ଦୁଇ ଦିନ ଲାଗି କୋଇଲା ଷ୍ଟକ୍ ଥିବା କୁହାଯାଉଛି।

ସେପଟେ ଆବଶ୍ୟକତା ଅନୁସାରେ କୋଇଲା ମିଳିପାରୁନଥିବାରୁ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି) ତାଙ୍କର ବାଢ ଓ ଫରକ୍କା ପ୍ଲାଣ୍ଟରୁ ବିଦ୍ୟୁତ ଉତ୍ପାଦନ ହ୍ରାସ କରିଛନ୍ତି। ଖଣିମାନଙ୍କରେ ପାଣି ଜମା ହୋଇଥିବାରୁ ଅକ୍ଟୋବର ପ୍ରଥମ ସପ୍ତାହରୁ କୋଇଲା ଯୋଗାଣ ପ୍ରଭାବିତ ହୋଇଛି। ଏଣୁ ଦେଶର ତାପଜ ଶକ୍ତି ପ୍ରକଳ୍ପକୁ କୋଇଲା ପହଞ୍ଚି ପାରୁନଥିବାରୁ ଗତ ନବରାତ୍ରି ବେଳେ ବିଦ୍ୟୁତ ସଂକଟ ଦେଖା ଦେଇଥିଲା। ଏଣୁ ନିଜେ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଝାଡଖଣ୍ଡ ଗସ୍ତ କରି ସିସିଏଲ, ବିସିସିଏଲ ଓ ଇସିଏଲ କୋଇଲା କମ୍ପାନୀଙ୍କ ଅଧିକାରୀଙ୍କ ସହ ବୈଠକ କରିଥିଲେ।

{"id":529816,"width":840,"height":454,"sizeSlug":"full","linkDestination":"none"}

ଗସ୍ତକାଳରେ ପଟେଲ ଝାଡ଼ଖଣ୍ଡର ପିପରବାର, ଖଲାରୀ ଓ ଧାନବାଦସ୍ଥିତ କୋଇଲା ଖଣିମାନଙ୍କର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ। ବର୍ଷାରେ କୋଇଲା ଉତ୍ପାଦନ ପ୍ରଭାବିତ ହେବା ଜାଣି ମଧ୍ୟ ଅଧିକାରୀମାନେ ପୂର୍ବ ପଦକ୍ଷେପ ନେଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରଠାରୁ ଝାଡଖଣ୍ଡର କୋଇଲା ଖଣିମାନଙ୍କରୁ ପୁଣି ଉତ୍ପାଦନ ଆରମ୍ଭ ହେବା ସହ ସାରା ଦେଶକୁ ୨୪ ଘଣ୍ଟା କୋଇଲା ଯୋଗାଣ ହୋଇଥିଲା। ହେଲେ ଅକ୍ଟୋବର ୧୬ ତାରିଖରୁ ପୁଣି ଦେଶରେ ବର୍ଷା ଆରମ୍ଭ ହେବା କୋଇଲା ଯୋଗାଣକୁ ଧିମେଇ ଦେଇଛି।

କୋଇଲା ଅଭାବ ଯୋଗୁ ଝାଡଖଣ୍ଡର କୋଡରମା, ଚନ୍ଦ୍ରପୁରା ଓ ବୋକାରୋ ଥର୍ମାଲ ପାୱାର ପ୍ଲାଣ୍ଟରୁ ଏବେ ମାତ୍ର ୭୦ ପ୍ରତିଶତ ବିଦ୍ୟୁତ ଉତ୍ପାଦିତ ହୋଇପାରୁଛି। ଯାହା ଝାଡଖଣ୍ଡର ବିଦ୍ୟୁତ ଆବଶ୍ୟକତା ପୂରଣ ଲାଗି ମଧ୍ୟ ଏବେ ଅସମର୍ଥ। ବୋକାରୋ ଥର୍ମାଇ ୟୁନିଟରେ ଏବେ ମାତ୍ର ଦିନକର ଉତ୍ପାଦନ ଲାଗି କୋଇଲା ଷ୍ଟକ୍ ଅଛି। ଏହି ପାୱାର ପ୍ଲାଣ୍ଟଟି ୫୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିପାରୁଛି। ଯଦି ଠିକ୍ ସମୟରେ କୋଇଲା ନ ପହଞ୍ଚେ ତେବେ ପ୍ଲାଣ୍ଟ ବନ୍ଦ ହେବା ଏକପ୍ରକାର ନିଶ୍ଚିତ । ସେହିପରି ଡିଭିସି କେଟିପିଏସ ପ୍ଲାଣ୍ଟ ଏବେ ଦୈନିକ ୫୦୦ରୁ ୬୦୦ ମେଗାୱାଟ ବିଦ୍ୟୁତ ଉପଲବ୍ଧ କରାଇପାରୁଛି। ଏଠାରେ ଦୈନିକ ୧୧ ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ ହେଉଥିବା ବେଳେ ୬ରୁ ୭ ହଜାର କୋଇଲା ମିଳିପାରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.