ଭାରତୀୟ ରେଳର ବଡ଼ ନିଷ୍ପତ୍ତି, ଅଚଳ ପଡ଼ିଥିବା ବଗି ଲିଜ୍‌ରେ ନେଇପାରିବେ ଘରୋଇ କମ୍ପାନୀ

Published By : Prameya-News7 Bureau | September 11, 2021 IST

ନୂଆଦିଲ୍ଲୀ ୧୧/୦୯: ଅଚଳ ହୋଇପଡ଼ିଥିବା ଏବଂ କାମରେ ଆସିନଥିବା ବଗିଗୁଡ଼ିକୁ ଘରୋଇ କମ୍ପାନୀକୁ ଲିଜ୍‌ରେ ଦେବ ଭାରତୀୟ ରେଳ। କୋଚିଂ ଷ୍ଟକ୍ ଏବଂ ବେୟର ଶେଲ୍ସଗୁଡ଼ିକୁ ଏବେ ଘରୋଇ କମ୍ପାନୀ କିଣି ପାରିବେ। କାମରେ ଆସୁନଥିବା ବଗିଗୁଡ଼ିକ ଷ୍ଟକରେ ପଡ଼ିରହିଛି। ଏମିତି ଅନେକ କୋଚ୍‌ ରହିଛି ସେଗୁଡ଼ିକ ଭଲ ଥିଲେ ସୁଦ୍ଧା କାମରେ ଆସିପାରୁ ନହିଁ। ଏହି ସବୁ କୋଚ୍‌ ଲିଜ୍‌ରେ ଦିଆଗଲେ କାମରେ ଲାଗିପାରିବ ।

କିନ୍ତୁ ଯେଉଁ କମ୍ପାନୀ ଏକାଥରେ ଟଙ୍କା ଦେଇ ଏହି ସବୁ ବଗି କିଣିବାକୁ ଚାହିଁବେ ସେମାନଙ୍କ ପାଇଁ ଲିଜ୍‌ ଶୁଳ୍କ ଲଗିବ ନାହିଁ । ୫ ବର୍ଷ ପାଇଁ ଏସବୁକୁ ଲିଜ୍‌ ଦିଆଯିବାକୁ ଥିବା ବେଳେ ଏଥିରେ ଲିଜ୍‌ ନେଉଥିବା କମ୍ପାନୀ କୌଣସି ପ୍ରକାର ପରିବର୍ତ୍ତନ କରିପାରିବ। ରେଳ ଗାଡ଼ି ଭିତରେ ତୃତୀୟ ପକ୍ଷର ବିଜ୍ଞାପନ ଲାଗିପାରିବ। ଏହା ବ୍ୟତୀତ ରେଳ ଡବା ଚଳାଇବାକୁ ଥିବା କମ୍ପାନୀ ସମୟକୁ ଜଗିବା ନିହାତି ଜରୁରୀ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

କୋଚ ନୂତନିକରଣ ଏବଂ ଯାତ୍ରା କାର୍ଯ୍ୟକ୍ରମ ପାଇଁ ସମୟର ମଞ୍ଜୁରୀ ବ୍ୟତୀତ ରକ୍ଷଣାବେକ୍ଷଣ ପାଇଁ କୌଣସି ସୁବିଧା ମିଳିପାରିବ ନାହିଁ ବୋଲି ଜଣାପଡ଼ିଛି। ତେବେ ସାଧାରଣ ଲୋକଙ୍କ ପାଇଁ ସାଂସ୍କୃତିକ, ଧାର୍ମିକ ଏବଂ ଅନ୍ୟ ପର୍ଯ୍ୟଟନ ସ୍ଥଳୀକୁ ସର୍କିଟ୍‌ ଟ୍ରେନ୍‌ ଚଳାଇବା ପାଇଁ ରେଲଓ୍ବେ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଇଛି । ଏନେଇ ନୀତି ନିର୍ଦ୍ଧାରଣ ପାଇଁ ମଧ୍ୟ କମିଟି ଗଠନ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.