କୋଝିକୋଡ ବିମାନ ଦୁର୍ଘଟଣାରେ ମୃତ କୋ-ପାଇଲଟଙ୍କ ପତ୍ନୀଙ୍କୁ ଦିଆଯାଇନି ସ୍ୱାମୀଙ୍କ ମୃତ୍ୟୁ ଖବର

Published By : Prameya-News7 Bureau | August 08, 2020 IST

ମଥୁରା ୮।୮: କେରଳ କୋଝିକୋଡରେ ଶୁକ୍ରବାର ହୋଇଥିବା ବିମାନ ଦୁର୍ଘଟଣାରେ କୋ-ପାଇଲଟ ଅଖିଳେଶ ଶର୍ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତେବେ ୩୨ ବର୍ଷ ବୟସ୍କ ଅଖିଳେଶଙ୍କ ମୃତ୍ୟୁ ନେଇ ତାଙ୍କ ପତ୍ନୀ ମେଘାଙ୍କୁ ପରିବାର ଲୋକେ ଏପର୍ଯ୍ୟନ୍ତ ସୂଚିତ କରିନାହାନ୍ତି। ମେଘା ଅନ୍ତସତ୍ୱା ଅଛନ୍ତି ଓ ଆଗାମୀ କିଛି ଦିନ ମଧ୍ୟରେ ସନ୍ତାନ ପ୍ରସବ କରିବେ। ଏଣୁ ତାଙ୍କୁ ଖବର ଲୁଚାଯାଇଛି ବୋଲି ଅଖିଳେଶଙ୍କ ଭାଇ ଲୋକେଶ ଶର୍ମା କହିଛନ୍ତି।

{"id":311744,"width":575,"height":284,"sizeSlug":"large"}

ଅଖିଳେଶଙ୍କ ପରିବାର ଉତ୍ତରପ୍ରଦେଶ ମଥୁରାର ଗୋବିନ୍ଦ ନଗରୀରେ ରୁହନ୍ତି। ତେବେ ତାଙ୍କ ପତ୍ନୀ ବିମାନ ଦୁର୍ଘଟଣା ସମ୍ପର୍କିତ ଖବର ଜାଣିଥିବା ଲୋକେଶ କହିଛନ୍ତି। ହେଲେ ସେହି ହତଭାଗ୍ୟ ବିମାନରେ ଅଖିଳେଶ ଥିଲେ କି ନା ସେ ସମ୍ପର୍କରେ ସେ ଜାଣି ନାହାନ୍ତି କି ତାଙ୍କୁ ଏବେ ଜଣାଇ ଦିଆଯିବନି ବୋଲି ଲୋକେଶ କହିଛନ୍ତି। ଅଖିଳେଶ ଘରର ବଡ ପୁଅ ଥିଲେ, ତାଙ୍କ ପିତାଙ୍କ ତୁଲସୀରାମ ଶର୍ମା ମଥୁରାରେ ବ୍ୟବସାୟ କରନ୍ତି। ରାତିରେ ଅଖିଳେଶଙ୍କ ମୃତ୍ୟୁ ନେଇ ସୂଚନା ମିଳିବା ପରେ ଲୋକେଶଙ୍କ ବଡ ଭାଇ ଭୁବନେଶ ଦିଲ୍ଲୀ ଯାଇ ସେଠାରୁ ଭିଣୋଇ ସଞ୍ଜୀବ ଶର୍ମାଙ୍କ ସହ କୋଝିକୋଡ ଯାଇଥିବା ଲୋକେଶ କହିଛନ୍ତି।

{"id":311745,"sizeSlug":"large"}

ଗତ ୨୦୧୭ ମସିହାରେ ଅଖିଳେଶ ଏୟାର ଇଣ୍ଡିଆରେ ଯୋଗଦେଇଥିଲେ। ମାତ୍ର ୨ ବର୍ଷ ପୂର୍ବେ ୨୦୧୮ ମସିହାରେ ମେଘାଙ୍କ ସହ ତାଙ୍କର ବିବାହ ହୋଇଥିଲା। ଲକଡାଉନରେ ବିମାନ ଚଳାଚଳ ବନ୍ଦ ରହିବା ଯୋଗୁ ଦୀର୍ଘ ସମୟ ଧରି ଅଖିଳେଶ ଖାଲିବସିଥିଲେ। ତେବେ ବନ୍ଦେ ଭାରତ ମିସନ ଲାଗି ଏୟାର ଇଣ୍ଡିଆ ବିମାନ ଉଡାଣ କରିବାରୁ ଏଥିରେ ସେ ଦୁବାଇରେ ଅଟକି ରହିଥିବା ଭାରତୀୟଙ୍କୁ ଆଣିବା ଲାଗି ଯାଇଥିଲେ।  

{"id":311775,"sizeSlug":"large"}

ସେପଟେ ବିମାନର ପାଇଲଟ ଦୀପକ ବସନ୍ତ ସାଠେଙ୍କ ୮୪ ବର୍ଷ ବୟସ୍କା ମାଙ୍କର ଶନିବାର ଥିଲା ଜନ୍ମଦିନ। ଏହି ଅବସରରେ ଦୀପକ ନାଗପୁରରେ ରହୁଥିବା ମାଙ୍କୁ ଭେଟିବା ଲାଗି ଯୋଜନା ମଧ୍ୟ କରିଥିଲେ। ସରପ୍ରାଇଜ୍ ଭିଜିଟ୍‌ରେ ମାଙ୍କୁ ଭେଟିବା ସହ ଜନ୍ମଦିନର ଅଭିନନ୍ଦନ ମଧ୍ୟ ଜଣାଇଥାନ୍ତେ। ହେଲେ ଦିନକ ପୂର୍ବରୁ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇବା ପରିବାରକୁ ବ୍ୟଥିତ କରିଛି। ଦୀପକ ବସନ୍ତ ସାଠେ ପରିବାର ସହ ମୁମ୍ବାଇରେ ରହନ୍ତି। ଗତ ମାର୍ଚ୍ଚ ମାସରେ ଶେଷ ଥର ନାଗପୁର ଯାଇ ପିତାମାତାଙ୍କୁ ଭେଟିଥିଲେ ବୋଲି ତାଙ୍କ ମା ନୀଲା ସାଠେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.