ଲକଡାଉନରେ ବିରିୟାନୀ ପାର୍ଟି କରୁଥିଲେ ସିଏମସି ଏନଫୋର୍ସମେଣ୍ଟ୍ ଟିମ୍ ସଦସ୍ୟ, ଚଢଉ କଲା ପୋଲିସ, ଫାଇନ୍ ଦେଇ ମୁକୁଳିଲେ...

Published By : Prameya-News7 Bureau | May 21, 2021 IST

କଟକ,୨୧/୦୫: ନିୟମ ପଢାଉଥିବା ଅଧିକାରୀ ଭାଙ୍ଗିଲେ ନିୟମ । ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସତ୍ତେ୍ୱ କଟକରେ କରୋନା ସଂକ୍ରମଣ ଉପରମୁହାଁ । ସେଥିପାଇଁ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଲାଗୁ କରାଯାଉଛି । ବାହାଘରରେ ଭିଡ ହେବନି । ମାତ୍ର ୨୫ଜଣ ଉପସ୍ଥିତ ରହିବେ । ସେଥିରେ ପୁଣି ଭୋଜିଭାତ ତ’ ବିଲ୍‌କୁଲ୍‌ ନାହିଁ । ଯାହା ହେବ ପାର୍ସଲ୍‌ ବ୍ୟବସ୍ଥା । ଏମିତିକି ଶେଷକୃତ୍ୟରେ ବି କଟକଣା ଜାରି କରାଯାଇଛି । ଯେଉଁଠି ଭିଡ ଅଥବା ଜନଗହଳି ହେଉଛି ସେଠାରେ ଚଢଉ କରୁଛି ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, କୋଭିଡ୍‌ କଟକଣାର ପାଠ ପଢାଉଥିବା ଓ କଟକଣା ଉଲ୍ଲଂଘନ କରୁଥିବା ଜାଗାରେ ଚଢଉ କରୁଥିବା ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ସଦସ୍ୟମାନେ ଖୋଦ୍‌ ଆଜି କଟକଣାକୁ ଫୁଃ କରି ଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି । ବାହାଘରରେ ଭୋଜି ହୋଇପାରୁନି, ଅଥଚ ଏହି ଟିମ୍‌ର ସଦସ୍ୟମାନେ ଆଜି ଏକାଠି ହୋଇ ଭୋଜି କରୁଥିଲେ । ମଜାମସ୍ତି କରୁଥିଲେ । ତେବେ ପୁଲିସ ହାବୁଡେ ପଡ଼ିବା ପରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ର ଏଭଳି ବେଆଇନ କାମର ପର୍ଦ୍ଦାଫାସ ହୋଇଛି ।

କରୋନା ଭଳି ସଂକଟମୟ ସ୍ଥିତିରେ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବାର ଦାୟିତ୍ୱ ନେଇଥିବା ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ବା ଚଢଉ ଟିମ୍‌ର କିଛି ସଦସ୍ୟ ଭୋଜିଭାତର ଆସର କରି ଧରାପଡ଼ିଛନ୍ତି । ଭୟ ଓ ଆତଙ୍କରେ ଲୋକେ ଘରେ ରହୁଥିବାବେଳେ ସିଏମ୍‌ସିର ୧୦ରୁ ୧୨ଜଣ କର୍ମଚାରୀ ଏକାଠି ହୋଇ ବିଡାନାସୀ ଅଞ୍ଚଳର ଏକ ଘରେ ଭୋଜିଭାତ କରୁଥିଲେ । ସେଠାରେ ବିରିୟାନୀ, ମାଂସ ଓ ଅନ୍ୟାନ୍ୟ ଆଇଟମ୍‌ ରୋଷେଇ କରାଯାଇ ଆସର ଜମିଥିଲା । ଖବର ପାଇ ପୁଲିସ ସେଠାରେ ଚଢଉ କଲାବେଳକୁ ଭୋଜିଭାତ ଜମିଯାଇଥିଲା । ତେବେ ପୁଲିସ କେବଳ ଜରିମାନା ଆଦାୟ କରି ସେମାନଙ୍କୁ ଛାଡ଼ିଥିଲା । ଅନ୍ୟପକ୍ଷରେ ଏଯାବତ୍‌ ସିଏମ୍‌ସି କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାଟି ସହରରେ ଚର୍ଚ୍ଚାର ବିଷୟ ବି ପାଲଟିଛି ।

ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗୋଟିଏ ପଟେ ଚିକିତ୍ସାଧୀନଙ୍କ ସଂଖ୍ୟା ବଢୁଥିଲାବେଳେ ସାଧାରଣ ସ୍ଥାନରେ ଏକଜୁଟ ନହେବା ପାଇଁ ରାଜ୍ୟ ସରକାରଙ୍କଠାରୁ ନେଇ ଜିଲ୍ଲା ପ୍ରଶାସନ ନିୟମ କଡାକଡି ଲାଗୁ କରୁଛନ୍ତି । କେଉଁଠି ସାମାଜିକ ଦୂରତା ନ ଥିଲେ ଦୋକାନକୁ ସିଲ୍‌ କରିବା ସହିତ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଉଛି । ଏଥିରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ପ୍ରମୁଖ ଭୂମିକା ଓ ଦାୟିତ୍ୱ ରହିଛି । ଅଥଚ ଏନଫୋର୍ସମେଣ୍ଟ୍‌ ଟିମ୍‌ର ସଦସ୍ୟମାନେ ଏକାଠି ହୋଇ ଆଜି ବିଡ଼ାନାସୀଠାରେ ଏକ ଘରେ ବିରିଆନୀ ଭୋଜି କରୁଥିଲେ ।

ଅଭିଯୋଗ ହୋଇଛି କି’ କର୍ମଚାରୀମାନେ ମଦ ଆସର ବି କରିଥିଲେ । କର୍ମଚାରୀମାନେ ଉକ୍ତ ଘରେ ହୋହାଲ୍ଲା କରିବାରୁ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ବିଡ଼ାନାସୀ ଥାନାକୁ ଖବର ଦେଇଥିଲେ । ଖବର ପାଇ ବିଡାନାସୀ ଥାନା ପୁଲିସ୍‌ ଚଢଉ କରି ଏଠାରେ ଭୋଜିଭାତ କରିବାକୁ କିଏ ଅନୁମତି ଦେଇଥିଲା ବୋଲି ପ୍ରଶ୍ନ କରିଥିଲା । ଭୋଜିଭାତ ଅଭିଯୋଗକୁ କର୍ମଚାରୀମାନେ ଅସ୍ୱୀକାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ରୋଷେଇ ପରିମାଣରୁ ଏହା ସ୍ପଷ୍ଟ ହୋଇଯାଇଥିଲା।

ପୁଲିସ ଏଥିରେ ବିରକ୍ତି ପ୍ରକାଶ କରିବା ସହ ଜରିମାନା ଆଦାୟ କରିଥିଲା । ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି । ଏଥିରେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ର ସଦସ୍ୟ କ୍ୟାମେରାରେ ଆସିବା ପରେ ନିଶାରେ ନିଜକୁ ସିଏମ୍‌ସି କର୍ମଚାରୀ ନୁହଁ ବୋଲି କହୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ସିଏମ୍‌ସି କମିସନର ଅନନ୍ୟା ଦାସ କହିଥିବା ବେଳେ ଅନ୍ୟ କେହି ପ୍ରତିକ୍ରିୟା ଦେଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.