ବନ୍ଦାୟୁରେ ନିର୍ଭୟା ପରି ଅମାନୁଷିକ କାଣ୍ଡ: ଅଫିସରଙ୍କୁ ଯୋଗୀଙ୍କ କଡା ନିର୍ଦ୍ଦେଶ, ଏସଟିଏଫ ଲଗାଇ ଦିଅ, ଦୁଷ୍କର୍ମୀ ଯେମିତି ଖସି ପାରିବ ନାହିଁ

Published By : Prameya-News7 Bureau | January 06, 2021 IST

ବନ୍ଦାୟୁ ୦୬।୦୧: ଉତ୍ତର ପ୍ରଦେଶର ବନ୍ଦାୟୁରେ ଅଙ୍ଗନଓ୍ଵାଡି କର୍ମୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ମାନବ ସଭ୍ୟତାକୁ ସ୍ତବ୍ଧ କରି ଦେଇଛି। ରାଜ୍ୟ ସରକାର ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ସରକାରୀ ଯୋଜନା ଉପଲବ୍ଧ କରାଇବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ଆଡୁ ମାମଲା ବିଷୟରେ ପଚାରି ବୁଝିଛନ୍ତି ଏବଂ ଏଡିଜି ଜୋନ୍‌ ବରେଲୀକୁ ରିପୋର୍ଟ ତଲବ କରିଛନ୍ତି।

ଉପ ମୁଖ୍ୟ ସଚିବ ନବନୀତ ସହଗଲ କହିଛନ୍ତି ଯଦି ଦରକାର ପଡୁଛି ଏସଟିଏଫକୁ ଲଗାଯାଉ ଏବଂ ମାମଲାର ଯାଞ୍ଚ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀକୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସପି ସଂକଳ୍ପ ଶର୍ମା ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ଏବଂ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା କଥା କହିଛନ୍ତି।

ବନ୍ଦାୟୁ ଏସପି ସଂକଳ୍ପ ଶର୍ମା କହିଛନ୍ତି ଗତ ରବିବାର ଉଘୈତି ଥାନା ଅନ୍ତର୍ଗତ ଏକ ଗାଁରେ ମନ୍ଦିରକୁ ଯାଇଥିବା ୫୦ ବର୍ଷୀୟ ମହିଳାଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଛି। ପରିଜନ ମନ୍ଦିରର ମହନ୍ତ ସତ୍ୟ ନାରାୟଣ ଏବଂ ତାଙ୍କ ଦୁଇ ସାଥୀଙ୍କ ଉପରେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇ ବେଦ ରାମ ଓ ଯଶପାଲକୁ ମଙ୍ଗଳବାର ରାତିରେ ଗିରଫ କରାଯାଇଛି। ଅଭିଯୁକ୍ତ ମହନ୍ତ ଫେରାର ଅଛି। ତାକୁ ଗିରଫ କରିବା ଲାଗି ପୁଲିସର ଚାରି ଟିମ୍ ଗଠନ କରାଯାଇଛି। ବିରୋଧୀ ଦଳ ଏହି ଘଟଣାକୁ ନିର୍ଭୟା କାଣ୍ଡ ସହ ଯୋଡି ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ଏସପି କହିଛନ୍ତି ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଜଣା ପଡିଛି। ତାଙ୍କ ଆଭ୍ୟନ୍ତରୀଣ ଅଙ୍ଗରେ ଆଘାତ ଲାଗିଥିବା ଏବଂ ଗୋଡ ଭାଙ୍ଗିଥିବା ଜଣା ପଡିଛି। ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଯଶପାଲ ସିଂହ କହିଛନ୍ତି ମହିଳାଙ୍କ ମୃତ୍ୟୁ ବିଷାଦ ଏବଂ ଅତ୍ୟଧିକ ରକ୍ତସ୍ରାବ କାରଣରୁ ହୋଇଛି। ଘଟଣାକୁ ନିର୍ଭୟା କାଣ୍ଡ ସହ ତୂଳନା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.