ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ, ଅପରାହ୍ନ ୪ଟାରେ ଦେବେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା

Published By : Prameya-News7 Bureau | May 24, 2021 IST

ଭୁବନେଶ୍ୱର ୨୪।୦୫: ଆସୁଛି ବାତ୍ୟା ୟସ୍‌ । କରୋନା ମହାମାରି ଭିତରେ ବାତ୍ୟା ୟସ୍‌କୁ ଭୟ ବୃଦ୍ଧି ପାଇଛି । ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ।

ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରୁ ମାଡ଼ି ଆସୁଛି ‘ୟସ୍‌’ । ୨୬ରେ ମାଡ଼ ହେବ ଉତ୍ତର ଓଡ଼ିଶା ଉପକୂଳରେ । ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ । ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ । ପବନ ଝଟ୍‌କା ୧୮୫ କିମି ହୋଇପାରେ । ସୋମବାର ସକାଳେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଥିଲା । ଏବେ ଏହା ବାତ୍ୟାର ରୂପ ନେଇଛି । ଏହା ୨୬ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି ।

ୟସ୍‌ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଏଭଳି ଆଶଙ୍କା କରାଯାଉଛି ।

ଆଇଏମ୍‌ଡି ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ଆକଳନରୁ ଅନୁମାନ କରାଯାଉଛି, ବୁଧବାର (୨୬ ତାରିଖ) ସକାଳ ପ୍ରାୟ ସାଢ଼େ ୫ଟାବେଳେ ୟସ୍‌ ସମୁଦ୍ର ଭିତରେ ଭିତରକନିକାର ଉତ୍ତରରେ ପାଖାପାଖି ୭୦ କିମି ଦୂରରେ ଥିବ । ଅପରାହ୍ନ ସାଢ଼େ ୫ଟାବେଳେ ୟସ୍‌ ଅତି ଭୀଷଣ ବାତ୍ୟା ଅବସ୍ଥାରେ ମୟୂରଭଞ୍ଜା ରାସଗୋବିନ୍ଦପୁର ପାଖାପାଖି ରହିବା ଅନୁମାନ କରାଯାଉଛି । ସେତେବେଳକୁ ବି ଏହା ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ । ଯଦିଓ ପବନ ବେଗ ସାମାନ୍ୟ କମି ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ବହୁଥିବ । ପବନ ଧକ୍କା ଘଣ୍ଟା ପ୍ରତି ୧୪୫ କିମି ହୋଇପାରେ । ଅନୁମାନ କରାଯାଉଛି, ବୁଧବାର ମଧ୍ୟାହ୍ନ କିମ୍ବା ଅପରାହ୍ନରେ ହିଁ ୟାସ୍‌ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ସ୍ଥଳଭାଗରେ ମାଡ଼ ହୋଇପାରେ ।
ବାତ୍ୟା ବାଲେଶ୍ୱରରେ ମାଡ଼ ହେବା ପରେ ମୟୂରଭଞ୍ଜରେ ପଶିବ । ମୟୂରଭଞ୍ଜ ଦେଇ ଏହା ଝାଡ଼ଖଣ୍ଡର ଜାମସେଦପୁର ଏବଂ ରାଞ୍ଚି ଆଡ଼କୁ ଗତି କରିବା ସମ୍ଭାବନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.