ଏକାମ୍ର କ୍ଷେତ୍ରରେ ନବୀନଙ୍କ ଅନୁଧ୍ୟାନ: ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ୍, ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀରେ ସ୍ଥାନ ପାଇବ ଏକାମ୍ର କ୍ଷେତ୍ର

Published By : Prameya-News7 Bureau | December 02, 2020 IST

ଭୁବନେଶ୍ବର୨/୧୨: ରାଜଧାନୀ ଭୁବନେଶ୍ବରରେ ଏକାମ୍ର ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ମୁଖ୍ୟମନ୍ତ୍ରୀ ନିଜେ ଲିଙ୍ଗରାଜ ମନ୍ଦିର ନିକଟରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିବା ସହ ଶିବରାତ୍ରି ସୁଦ୍ଧା ସମସ୍ତ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟର ୯୫ ପ୍ରତିଶତ କାର୍ଯ୍ୟ ସରିଗଲାଣି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରକୁ ବିଶ୍ବ ଐତିହ୍ୟ କରିଡରରେ ସାମିଲ କରିବାକୁ ରାଜ୍ୟ ସରକାର ଯେଉଁ ଯୋଜନା କରିଥିଲେ। ତାହା ଆଗାମୀ ଦିନରେ ବାସ୍ତବ ରୂପ ନେବାକୁ ଯାଉଛି । ରାଜଧାନୀ ଭୁବନେଶ୍ବରରେ ଏକାମ୍ର ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନିଜେ ଲିଙ୍ଗରାଜ ମନ୍ଦିର  ନିକଟରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଛନ୍ତି।

ପ୍ରଥମେ ପୁରୁଣା ଲିଙ୍ଗରାଜ ଥାନା ନିକଟ ଜ୍ଞାନୀ ଜୟଲ ସିଂ ଛକରୁ ଦେବୀ ପାଦହରା ପୋଖରୀ ପର୍ଯ୍ୟନ୍ତ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଦେଖିବା ପରେ ସିଂହଦ୍ବାର ସାମ୍ନାରୁ ଲିଙ୍ଗରାଜ ମନ୍ଦିରର ଉତ୍ତର ପାର୍ଶ୍ବରେ ଥିବା ମୋହିନୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ମୁଖ୍ୟମନ୍ତ୍ରୀ। ସେହିଭଳି ବିନ୍ଦୁସାଗରରେ ହୋଇଥିବା ଲାଇଟ୍‌ ଆଣ୍ଡ ସାଉଣ୍ଡ ଫାଉଣ୍ଟେନ୍‌ ଅର୍ଥାତ୍‌ ବିନ୍ଦୁସାଗର ଜଳରେ ରଙ୍ଗୀନ ଆଲୁଅର ଖେଳକୁ ମଧ୍ୟ ଉପଭୋଗ କରିଥିଲେ ମୁଖ୍ୟମନ୍ତ୍ରୀ।

ଲିଙ୍ଗରାଜ ମନ୍ଦିରକୁ ସଂଲଗ୍ନ ହୋଇଥିବା ସବୁ ରାସ୍ତାର ପ୍ରଶସ୍ଥି କରଣ, ବିନ୍ଦୁ ସାଗର ଚାରିପାଖ ବିକାଶ, ବ୍ୟାଟେରି ଚାଳିତ ଗାଡ଼ିର ବ୍ୟବହାର, ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ନିକଟ ଉତ୍ତର ଗେଟ୍‌ ବସ୍‌ ପାର୍କିଂରେ ଉତ୍ତର ପ୍ଲାଜାର ବିକାଶ, ଆଲୋକୀକରଣ ବ୍ୟବସ୍ଥା ଭଳି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହ ଆସନ୍ତା ଶିବରାତ୍ରୀ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଛନ୍ତି ନବୀନ।

ମୁଖ୍ୟମନ୍ତ୍ରୀଙ୍କ ଆଜିର ସମୀକ୍ଷା ପୂର୍ବରୁ ଅକ୍ଟୋବର ୩୧ରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ଏକାମ୍ର କ୍ଷେତ୍ର ଯୋଜନାର ତଦାରଖ କରିଥିଲେ । ନୂଆ ବର୍ଷ ପୂର୍ବରୁ ଏକାମ୍ର କ୍ଷେତ୍ରକୁ ନୂଆ ରୂପ ଦେବାକୁ ଯୋଜନା ହୋଇଥିବା ବେଳେ ଏହାର ୯୫ପ୍ରତିଶତ କାମ ସରିଲଣି । ବାକି କାମ ଖୁବ୍‌ ଶୀଘ୍ର ଶେଷ ହେବ ବୋଲି କହିଛନ୍ତି ବିଏମସି କମିଶନର । ସେପଟେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ଏକାମ୍ରକ୍ଷେତ୍ରର ନବକଳେବର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କହିଛନ୍ତି ସେବାୟତ ।

ଶ୍ରୀକ୍ଷେତ୍ର ଭଳି ନୂଆ ରୂପ ପାଇବ ଏକାମ୍ରକ୍ଷେତ୍ର । ପ୍ରାୟ ୬୬ଏକର ଜମି ଉପରେ ଏକାମ୍ର ବିକାଶ ଯୋଜନା ବାସ୍ତବ ରୂପ ନେବାକୁ ଯାଉଛି । ଆସନ୍ତା ଶିବରାତ୍ରୀ ବେଳକୁ ଏକକାଳୀନ ୨ଲକ୍ଷ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିର ବାହାରୁ ମହାଦୀପ ଦର୍ଶନ କରିପାରିବେ । ଆଗକୁ ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀରେ ସ୍ଥାନ ପାଇବ ଏକାମ୍ର କ୍ଷେତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.