ଦୀପିକାଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ୟାରିସ୍‌ରେ ଲଗାଇଥିଲେ ଗୋଲ୍ଡେନ ହ୍ୟାଟ୍ରିକ

Published By : Prameya-News7 Bureau | July 03, 2021 IST

ରାଞ୍ଚି ୦୩।୦୭: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟ ତଥା ଦେଶର ତାରକା ତୀରନ୍ଦାଜ ଖେଳାଳି ଦୀପିକା କୁମାରୀଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ଦୀପିକା ଗତ ମାସରେ ପ୍ୟାରିସରେ ଆୟୋଜିତ ବିଶ୍ଵ କପ୍‌ର ତୃତୀୟ ପର୍ଯ୍ୟାୟରେ ତିନୋଟି ସ୍ଵର୍ଣ୍ଣ ଜିତିଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ ଆମ ଚାମ୍ପିଅନଙ୍କ ପାଇଁ  ନଗଦ ଅର୍ଥ ରାଶି ଘୋଷଣା କରିଛନ୍ତି। ଏଥିରେ ଦୀପିକାଙ୍କୁ ୫୦ ଲକ୍ଷ ଟଙ୍କା, ଅଙ୍କିତା ଓ କୋମୋଲିକାଙ୍କୁ ୨୦-୨୦ ଲକ୍ଷ ଟଙ୍କା, ସଲିମା ଓ ନିକ୍କିଙ୍କୁ ପାଞ୍ଚ ପାଞ୍ଚ ଲକ୍ଷ ଓ କୋଚ୍ ପୂର୍ଣ୍ଣିମା ମହନ୍ତଙ୍କୁ ୧୨ ଲକ୍ଷ ଟଙ୍କା ଦିଆଯିବ।

ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ଦୁଇ କୋଟି

ମୁଖ୍ୟମନ୍ତ୍ରୀ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ଟୋକିଓ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ଝାଡଖଣ୍ଡ ସରକାର ଦୁଇ କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ସେହି ପରି ରୌପ୍ୟ ପଦକ ବିଜେତାଙ୍କୁ ଏକ କୋଟି ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୭୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଷ୍ଟାର ଭାରତୀୟ ତୀରନ୍ଦାଜି ଦୀପିକା କୁମାରୀ ଗତ ମାସରେ ତୀରନ୍ଦାଜି ବିଶ୍ଵ କପ୍‌ର ତୃତୀୟ ପର୍ଯ୍ୟାୟରେ ସ୍ଵର୍ଣ୍ଣ ପଦକର ହ୍ୟାଟ୍ରିକ ଲଗାଇବା ପରେ ବିଶ୍ଵ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଉଠିଛନ୍ତି। ରାଞ୍ଚିର ୨୭ ବର୍ଷୀୟ ଏହି ଖେଳାଳି ୨୦୧୨ପରେ ପ୍ରଥମ ଥର ଶୀର୍ଷ ମାନ୍ୟତା ହାସଲ କରିଛନ୍ତି। ସେ ମହିଳା ଏକକ ବର୍ଗ, ଦଳଗତ ଏବଂ ମିଶ୍ରିତ ବର୍ଗରେ ତିନୋଟି ସ୍ଵର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ଵିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.