ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତାର ହାତ ବଢାଉଛନ୍ତି ବଦାନ୍ୟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଂଗଠନ ଓ ପଡୋଶୀ ରାଜ୍ୟ ମାନେ

Published By : Prameya-News7 Bureau | May 08, 2019 IST

ଭୁବନେଶ୍ବର ୮|୫: ବାତ୍ୟା ଫୋନି ଉଜାଡି ଦେଇଛି ଉପକୂଳ ଓଡିଶାର ବାସ୍ତବ ସ୍ଥିତି । ପାରିବାରିକ, ସମାଜିକ, ସର୍ବୋପରି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଫୋନି । ବାରମ୍ବାର ବାତ୍ୟା ବନ୍ୟାର ସମ୍ମୁଖୀନ ହେଉଥିବା ଓଡିଶାର ସ୍ଥିତିରେ ସୁଧାର ଆଣିବାକୁ ସବୁବର୍ଗରେ ପ୍ରୟାସ ଚାଲିଛି । ବଦାନ୍ୟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପଡୋଶୀ ରାଜ୍ୟ ମାନେ ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ସହାୟତାର ହାତ ବଢାଇବାରେ ଲାଗିଛନ୍ତି ।

ବାତ୍ୟା ଫୋନିର ତାଣ୍ଡବରେ  ମେରୁଦଣ୍ଡ ଭାଙ୍ଗି ପଡିଥିବା ଓଡିଶାବାସୀଙ୍କୁ ସହାୟତାର ହାତ ବଢାଇଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଏନେଇ ଅପିଲ କରିବା ପରେ ଓଡିଶାକୁ ଛୁଟିବାର ଲାଗିଛି ସହାୟତା । ବଦାନ୍ୟ ବ୍ୟକ୍ତି, ସ୍ବେଚ୍ଛାସେବୀ ସଂଗଠନ ଦେଶର କୋଣ ଅନୁକୋଣରୁ ଛୁଟୁଛି ସହାୟତା । ଝାରସୁଗୁଡ଼ାର ଏକ ବ୍ୟବସାୟୀ ପରିବାର ହିମାଚଳ ପ୍ରଦେଶ ତୀର୍ଥ କରିବାକୁ ଯିବାକୁ ବାହାରିଥିବାବେଳେ ଏହାକୁ ବାତିଲ କରି ଉକ୍ତ ଅର୍ଥକୁ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଛନ୍ତି । ଝାରସୁଗୁଡାରେ ହୋଟେଲ୍‌ ବ୍ୟବସାୟ କରୁଥିବା ଅଶୋକ ଯାଦବ ଓ ତାଙ୍କ ଭାଇ ଅମିତ ଯାଦବ ତୀର୍ଥ ଖର୍ଚ୍ଚର ୫ଲକ୍ଷ ୮୦ହଜାର ଟଙ୍କାକୁ ପୁରୀ ଯାଇ ବାତ୍ୟା କ୍ଷତିଗ୍ରସ୍ତଙ୍କ ରିଲଫ୍ ପାଇଁ ଖର୍ଚ୍ଚ କରିଛନ୍ତି । ସେରିପରି ଝାରସୁଗୁଡାର ଆଉ ଏକ ବ୍ୟବସାୟ ସଂସ୍ଥା କଲ୍ୟାଣୀ ଟ୍ରାନ୍ସକୋ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେପଟେ କଳାହାଣ୍ଡି ଭବାନୀପାଟଣା ସ୍ଥିତ ଭାଗିରଥୀ ଗ୍ରୁପ୍ ପ୍ରୋପାଇଟର ପ୍ରମୋଦ ଖମାରୀ ୫ଲକ୍ଷ ଟଙ୍କାର ସହାୟତା ଚେକ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି ।

ଫୋନି କ୍ଷତିଗ୍ରସ୍ତ ଓଡ଼ିଶାର ପୁନରୁଦ୍ଧାର ପାଇଁ କେବଳ ଓଡିଶାର ବିଭିନ୍ନ ଜିଲ୍ଲାବାସୀ ନୁହନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ସାହାଯ୍ୟ କରିଛନ୍ତି । ସେହିପରି ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବାତ୍ୟା ବିପନ୍ନଙ୍କ  ସହାୟତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୧୦କୋଟି ଟଙ୍କାର ସହାୟତା ଚେକ୍‌ ପ୍ରଦାନ କରାଯାଇଛି ।

ସେପଟେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଫୋନି ପ୍ରପିଡୀତ ଲୋକଙ୍କୁ ସହାୟତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ସହାୟତା ଆସିଛି । ଛତିଶଗଡ ସରକାରଙ୍କ ପକ୍ଷରୁ ୧୧କୋଟି ଟଙ୍କା, ଉତ୍ତରପ୍ରଦେଶ ୧୦କୋଟି, ମହାରାଷ୍ଟ୍ର ୧୦ କୋଟି ତାମିଲନାଡୁ ସରକାର ୧୦କୋଟିର ସହାୟତା ରାଶି ପ୍ରଦାନ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । କେରଳ ସମେତ ଅନ୍ୟ ରାଜ୍ୟମାନେ ପୁନରୁଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନି ବାତ୍ୟା ବିପନ୍ନଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ବର୍ଷକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ମାସର ଦରମା ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.