ଜନ୍ମ ଦିନରେ ନୀତିଶଙ୍କ ବଡ ଘୋଷଣା, ଏନଡିଏ ସହିତ ହିଁ ନିର୍ବାଚନ ଲଢିବୁ ଏବଂ ୨୦୦ ଆସନ ଜିତିବୁ

Published By : Prameya-News7 Bureau | March 01, 2020 IST

ପାଟନା ୦୧। ୦୩- ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ଜନ୍ମ ଦିନରେ ସମସ୍ତ ପ୍ରକାରର କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇଛନ୍ତି । ସେ ଘୋଷଣା କରିଛନ୍ତି ଯେ,  ତାଙ୍କ ପାର୍ଟି ଜେଡିୟୁ ଏନଡିଏ ସହିତ ଏକାଠି ମିଶି ଆଗାମୀ ବିଧାନସଭା ନିର୍ବାଚନ ଲଢିବ। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଏନଡିଏ ବିଧାନସଭା ନିର୍ବାଚନରେ  ୨୦୦ରୁ ଅଧିକ ଆସନ ଜିତିବ। ନୀତିଶ କହିଛନ୍ତି ଆରଜେଡି ଓ କଂଗ୍ରେସ ଅଳ୍ପସଂଖ୍ୟକଙ୍କଠୁ ଭୋଟ୍ ପାଇଛନ୍ତି ମାତ୍ର ଆମେ ତାଙ୍କ ପାଇଁ କାମ କରିଛୁ।

ନୀତିଶ ଜେଡିୟୁ କାର୍ଯ୍ୟକର୍ତ୍ତାଙ୍କ ରାଲିରେ କହିଛନ୍ତି, ଆମେ ଆଗାମୀ ବିଧାନସଭା ନିର୍ବାଚନ ଏନଡିଏ ସହିତ ମିଶି ଲଢିବୁ ଏବଂ ୨୦୦ରୁ ଅଧିକ ଆସନ ଜିତିବୁ। କାର୍ଯ୍ୟକର୍ତ୍ତାଙ୍କୁ ଆହ୍ଵାନ କରିଛନ୍ତି ଯେ, ଏନଡିଏକୁ ବିହାରରେ ୨୦୦ରୁ ଅଧିକ ଆସନରେ ଜିତାଇବା ପାଇଁ ସଂକଳ୍ପ ନିଅନ୍ତୁ। ଏନପିଆର ପ୍ରସଙ୍ଗରେ ନୀତିଶ କହିଛନ୍ତି ରାଜ୍ୟରେ ୨୦୧୦ ଫର୍ମାଟ୍ ପରି ଏହା କରାଯିବ। ଏହି ସମ୍ବନ୍ଧରେ ଆମେ ବିହାର ବିଧାନସଭାରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରିଛୁ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ଉପଲବ୍ଧି ବଖାଣି କହିଛନ୍ତି ଯେ, ଏନଡିଏ ଶାସନରେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଉନ୍ନତି ଘଟିଛି ଏବଂ ଦେଶରେ ଜନସଂଖ୍ୟା  ହିସାବରେ ଅପରାଧ ଅନୁପାତ ବିହାରରେ କମ ରହିଛି। ଆମେ ଭାଗଲପୁର ଦଙ୍ଗାର ଦୋଷୀଙ୍କ  ନ୍ୟାୟର କାଠଗଡାକୁ ଟାଣି ପୀଡିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିଛୁ। ଏହା ସହିତ ଜେଡିୟୁର ଏହି ରାଲିରେ ନୀତିଶ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.