Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ହୋଇଛି ୬୧୦ କୋଟି ଟଙ୍କାର କ୍ଷତି

3/06/2021 at 9:22 PM

ଭୁବନେଶ୍ୱର, ୦୩/୦୬: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକୁମେଣ୍ଟେସନ୍‌ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏନେଇ କହିଥିଲେ ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପଦର୍ଶନ କରି ଲୋକଙ୍କ ଜୀବନ ସୁରକ୍ଷା କରିଛନ୍ତି । ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍‌ ସମୟ ମଧ୍ୟରେ କରାଯାଇ ପାରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ କାର୍ଯ୍ୟର ଡକୁମେଣ୍ଟେସନ କରିବାର ଆବଶ୍ୟକତା ସଂପର୍କରେ କହିଥିଲେ । ବାତ୍ୟା ଲ୍ୟାଣ୍ଡ ଫଲ୍‌ର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକୁମେଣ୍ଟେସନ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, ବାତ୍ୟାରେ ସମୁଦାୟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା । ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି ବୋଲି ସେ କହିଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା ।

ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ କାମ କରିଥିଲା ଏବଂ ଏଥିରେ ପ୍ରାୟତଃ ସଫଳ ହୋଇଛି । ଏଥିରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତିର କ୍ଷତି ହୋଇଛି । ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା । ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ ।

କୃଷି ବିଭାଗର କ୍ଷୟକ୍ଷତି ସଂପର୍କରେ ଆଲୋକପାତ କରି ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଥିଲେ ଯେ, ସମୁଦ୍ରକୂଳ ପ୍ରଭାବିତ ଜିଲ୍ଲା ଗୁଡିକରେ ଲୁଣି ପାଣି ମାଡି ଯିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି । ତେଣୁ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନଙ୍କୁ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରିବା ପାଇଁ କୁହାଯାଇଛି । ଏହି ବୈଜ୍ଞନିକ ମାନେ ବର୍ତ୍ତମାନ ପ୍ରଭାବିତ ସ୍ଥାନରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ରିପୋର୍ଟ ଆସିବ ବୋଲି ସେ କହିଛନ୍ତି ।

ବିଭାଗୀୟ ସଚିବମାନେ ସେମାନଙ୍କ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଏଥିରେ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ଏବଂ ଏଥିରେ ୯୯.୮ ପ୍ରତିଶତ ଉପଭୋକ୍ତାଙ୍କୁ ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି ବୋଲି ସେ କହିଥିଲେ । ୨୩୦ଟି ଟ୍ରାନ୍ସଫର୍ମର ଆଜି ସୁଦ୍ଧା ବଦଳାଯାଇ ନୂଆ ଟ୍ରାନ୍ସଫର୍ମର ଲଗାଯିବ ବୋଲି ସୂଚନା ଦିଆଯାଇଥିଲା । ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା ।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା । ବାତ୍ୟା  ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମୂତୟନ କରାଯାଇଥିଲା । ଏହା ସାରା ଭାରତରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୂଚନା ଦିଆଯାଇଥିଲା । ମଇ ୩୧ ସୁଦ୍ଧା ସମସ୍ତ ଟ୍ୟୁବୱେଲ ଓ ପାଇପ ୱାଟର ପ୍ରକଳ୍ପର ଜଳ ଉତ୍ସକୁ ବିଶୋଧନ କରାଯାଇଥିଲା । ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ ରୋଡର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ୮ଟି ସହରାଞ୍ଚଳର ୫୮ଟି ସଡକ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ ଆଦି କ୍ଷତିର ସମ୍ମୁଖୀନ ହୋଇଛି । ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା।

ସେହିପରି ଜଳସଂପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଓ ରାସ୍ତାରେ ହୋଇଥିବା ଘାଇ ସଂପର୍କରେ ସୂଚନା ଦିଆଯାଇଥିଲା। ସମୁଦାୟ କ୍ଷତିର ପରିମାଣ ୧୦୮ କୋଟି ଟଙ୍କା ।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସଡକ ଗୁଡିକୁ ଗଛ କାଟି ତୁରନ୍ତ ଅବରୋଧମୁକ୍ତ କରାଯାଇଥିଲା। ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି । କ୍ଷତିର ପରିମାଣ ୭୫ କୋଟି ଟଙ୍କା। ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷତିର ପରିମାଣ ୬୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି ।

ବୈଠକରେ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଆବଶ୍ୟକତା ସଂପର୍କରେ ଦୃଷ୍ଟି ଆକର୍ଣଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

   Related Posts