ଭୁବନେଶ୍ୱର ୧୭।୮: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଶୁନ୍ୟ ସହିଷ୍ଣୁତା (ଜିରୋ ଟୋଲେରାନ୍ସ) ନୀତି ଆପଣେଇବାକୁ ପ୍ରଶାସନକୁ ପରାମର୍ଶ ଦେଇଆସିଛନ୍ତି। ହେଲେ ଶନିବାର ନିଜେ ଏହି ନୀତି ଆପଣେଇଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରିବା ସହ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହୋଇଥିବା ୧୫ ଜଣ ସରକାରୀ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ସେହିପରି ଚାକିରୀରୁ ଅବସର ନେଇ ସାରିଥିବା ୨ ଜଣ ପୂର୍ବତନ ଅଧିକାରୀଙ୍କର ପେନସନ୍ ସୁବିଧା ମଧ୍ୟ ବନ୍ଦ କରିଦେଇଛନ୍ତି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଏହି ସବୁ ଅଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
{"id":145473,"width":580,"height":325}ମୁଖ୍ୟମନ୍ତ୍ରୀ ଚାକିରୀରୁ ବରଖାସ୍ତ କରିଥିବା ଏହି ଅଧିକାରୀ ଓ କର୍ମାଚାରୀମାନେ ହେଲେ ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ପୂର୍ବତନ ଏମଭିଆଇ ଦେବୀ ପ୍ରସାଦ ପାଢୀ, ସମବାୟ ବିଭାଗର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲୀ ସମବାୟ ସମିତିର ପୂର୍ବତନ ସମ୍ପାଦକ ଦେବଦତ୍ତ ଦାଶ, ଗୃହ ଉନ୍ନୟନ ଓ ନଗରନିର୍ମାଣ ବିଭାଗର ଉମରକୋଟ ମ୍ୟୁନସିପାଲ୍ଟି ଓକ୍ଟ୍ରାଇ ଟ୍ୟାକ୍ସ ସର୍କାର କାଳିପ୍ରସାଦ ସିଂହ, ପଞ୍ଚାୟତିରାଜ ବିଭାଗର ଭଦ୍ରକ ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣୀ ବଟକୃଷ୍ଣ ବାରିକ, କଳାହାଣ୍ଡି ଜିଲ୍ଲା ଏମ.ରାମପୁର ବ୍ଲକର ପୂର୍ବତନ ଭିଏଲଡବ୍ଲୁ କୃଷ୍ଣ ମୋହନ ଦାସ, କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ତଥା ପିଇଓ ଅଶୋକ କୁମାର ଶାହା, ଜୁନାଗଡ ବ୍ଲକର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମମୁଖ ଶବର ଓ ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଡି ଗ୍ରାମପଞ୍ଚାୟତର ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ।
{"id":145475}ସେହିପରି ଜଳ ସମ୍ପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ସହାୟକ ଯନ୍ତ୍ରୀ ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ କରୁଣାକର ପଣ୍ଡା, ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ମଙ୍ଗଳ ସିଂ ମୁଣ୍ଡା, ପୂର୍ବତନ ସହାୟକ ଯନ୍ତ୍ରୀ ବୈଦ୍ୟନାଥ ମାଝୀ, ମୟୁରଭଞ୍ଜ ସରକଣା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ରାଉତ, କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁରର ପୂର୍ବତନ କନିଷ୍ଠ ଯନ୍ତ୍ରୀ ନିଗମାନନ୍ଦ ପଣ୍ଡାଙ୍କୁ ଚାକିରୀରରୁ ବହିଷ୍କାର କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଏମସି ସ୍ୱାସ୍ଥ୍ୟାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଚିତ୍ତରଞ୍ଜନ ଲାଲ ମଧ୍ୟ ଚାକିରୀରୁ ବହିଷ୍କୃତ ହୋଇଛନ୍ତି। ପେନସନସୁବିଧା ବନ୍ଦ କରାଯାଇଥିବା ଅଧିକାରୀ ଦ୍ୱୟ ହେଲେ କଳାହାଣ୍ଡି ଜଳ ସମ୍ପଦ ବିଭାଗ ଆଇଟିଡିଏର ଅବସରପ୍ରାପ୍ତ ପୂର୍ବତନ ସହାୟକ ଯନ୍ତ୍ରୀ ଅଶ୍ୱିନୀ କୁମାର ଶର୍ମା ଓ କଳାହାଣ୍ଡି ଡିଆରଡିଏର ପୂର୍ବତନ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକ।