ଭିଡିଓ କନଫରେନ୍ସ ମାଧ୍ୟମରେ ପିପିଲିବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ କଲେ ନିବେଦନ

Published By : Prameya-News7 Bureau | April 12, 2021 IST

ଭୁବନେଶ୍ବର ୧୨/୦୪ : ପିପିଲି ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଏହାରି ମଧ୍ୟରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଶେଷ କରି ଉପ ନିର୍ବାଚନରେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ରାଲି ରୁଦ୍ରଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି ।

ଭିଡିଓ କନଫରେନ୍ସ ମାଧ୍ୟମରେ ପିପିଲିବାସୀଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି, ‘କୋଭିଡ ସମୟରେ ପିପିଲି-ଡେଲାଙ୍ଗ ଯିବା ଠିକ୍‌ ହେବ ନାହିଁ । ଆପଣମାନେ ମୋତେ ଆର୍ଶୀବାଦ କରିବାକୁ ବହୁ ସଂଖ୍ୟାରେ ଏକାଠି ହେବେ ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସେଠାକୁ ଯିବା ଠିକ୍‌ ହେବ ନାହିଁ । ସେଥିପାଇଁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଆପଣମାନଙ୍କୁ ଭେଟୁଛି । କରୋନା ଯିବା ପରେ ମୁଁ ନିଜେ ପିପିଲି-ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି ।’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ‘ପିପିଲିର ଜନସାଧରଣ ସମୁବେଳେ ବିଜୁ ଜନତା ଦଳ ସହିତ ଅଛନ୍ତି । ବିଜୁ ବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ଆପଣମାନଙ୍କର ଭଲପାଇବା ଅଛି । ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି । ସେ ଚାଷୀମାନଙ୍କର ବିକାଶ ହେଉ ବା ଗରିବ ଲୋକର କଲ୍ୟାଣ । ମା ମାନଙ୍କର ବିକାଶ ହେଉ ବା ଭିତ୍ତିଭୂମି ବିକାଶ । ସବୁଥିରେ ଓଡିଶା ସାରା ଦେଶରେ ଆଗରେ ରହିଛି । ଆମ ରାଜ୍ୟରେ ୭୦ ଲକ୍ଷ ମହିଳାଙ୍କୁ ନେଇ ଗଠିତ ମିଶନ ଶକ୍ତି ଆଜି ବିକାଶର ସାରଥି ହୋଇଛି । ପିପିଲିର ବିକାଶ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିଜୟୀ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।’

କରୋନାର ଦ୍ବିତୀୟ ଲହରୀ ଜାରି ରହିଥିବାରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା, ସାମାଜିତ ଦୂରତା ବଜାୟ ରଖିବାକୁ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.