ମଉକା ଦେଖି ଚଉକା ମାରିଲେ ନବୀନ: ଅମିତ ଶାହାଙ୍କ ନିକଟରେ ରାଜ୍ୟ ପାଇଁ ରଖିଲେ ଦାବି...

Published By : Prameya-News7 Bureau | February 28, 2020 IST

ଭୁବନେଶ୍ବର୨୮/୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟର ମାନ୍ୟତା ଦାବି କରିଥିଲେ। କିନ୍ତୁ ଖାଲି ଓଡ଼ିଶାର ସମସ୍ୟା ନୁହେଁ, ନବୀନ ସମଗ୍ର ପୂର୍ବାଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଲୋକସେବା ଭବନର କନଭେନସନ ହଲରେ ଅନୁଷ୍ଠିତ ଏହି ବୈଠକରେ ଆୟୋଜକ ଓଡ଼ିଶା ବ୍ୟତୀତ, ପଶ୍ଚିମବଙ୍ଗ, ବିହାର ଏବଂ ଝଡ଼ଖଣ୍ଡ ଅଂଶ ଗ୍ରହଣ କରିଥିଲେ ।

{"id":230472,"sizeSlug":"large"}

ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଝାଡ଼ଖଣ୍ଡ ଅର୍ଥ ମନ୍ତ୍ରୀ ରାମେଶ୍ବର ଓରାଓଁଙ୍କ ସମେତ ଏହି ୪ଟି ରାଜ୍ୟର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଯୋଗ ଦେଇଥିଲେ । ଆଞ୍ଚଳିକ ତାରତମ୍ୟ ଏବଂ ବୈଷମ୍ୟ ଦୂର ପାଇଁ ଉଦ୍ଦିଷ୍ଟ ଏହି  ଆଞ୍ଚଳିକ ପରିଷଦ ବୈଠକର  ଉପାଧ୍ୟକ୍ଷ ଥିବା ନବୀନ, ନିଜର ଅଭିଭାଷଣରେ କହିଥିଲେ ଓଡ଼ିଶା କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ।

{"id":230473,"sizeSlug":"large"}

ତେଣୁ, ଓଡିଶାକୁ ସ୍ପେଶାଲ ଫୋକସ ଷ୍ଟେଟର ମାନ୍ୟତା ମିଳୁ । ଏହି ଅବସରରେ ନବୀନ ଗତ ବର୍ଷ  ସାମୁଦ୍ରିକ ଝଡ଼ ‘ଫନି’ ସମୟରେ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିବାକୁ ଭୁଲି ନଥିଲେ । ଏହି ଆଞ୍ଚଳିକ ପରିଷଦ ବୈଠକରେ ମୁଖ୍ୟତଃ ୪ଟି ପ୍ରସଙ୍ଗ ଉଠାଇଥିଲେ ନବୀନ । ସେ କହିଥିଲେ ଜାତୀୟ ସଂହତି ଏହି ବୈଠକର ମୂଳ ଲକ୍ଷ୍ୟ । ସେଥିପାଇଁ ଆର୍ଥିକ, ଭିତ୍ତିଭୂମି ଓ ବୈଷୟିକ ଦୃଷ୍ଟିରୁ ଜାତୀୟ ସହମତି ଜରୁରୀ । ଏହା ମାଧ୍ୟମରେ ରାଜ୍ୟ-କେନ୍ଦ୍ର ସମ୍ପର୍କ ମଜବୁତ ହେବ । ସେଥିପାଇଁ ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସବୁ ରାଜ୍ୟ ମଧ୍ୟରେ ସଂହତି  ଆବଶ୍ୟକ ବୋଲି ସେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ।

{"id":230474,"sizeSlug":"large"}

ଏହା ବ୍ୟତୀତ, ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ଏବଂ ମୋବାଇଲ ସେବା, ରେଳ ଓ ସଡ଼କ ସଂଯୋଗୀକରଣ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ନବୀନ ପ୍ରସ୍ତାବ ରଖିଥିଲେ । କାରଣ ସଂଘୀୟ ଶାସନ ବ୍ୟବସ୍ଥାରେ କେନ୍ଦ୍ର ତାଲିକାରେ ଏହି ସବୁ ବିଭାଗ ଆସୁଥିଲେ ଥିଲେ ମଧ୍ୟ, ଏହି ତିନିଟି କ୍ଷେତ୍ରରେ ଦେଶର ଅନ୍ୟ ଅଞ୍ଚଳଠାରୁ, ପୂର୍ବାଞ୍ଚଳ ଢ଼େର ପଛରେ ପଡିଛି। ସେହିପରି କୋଇଲା ରୟାଲଟି ବୃଦ୍ଧି ଏବଂ ଖଣିଜ ସମ୍ପଦ ଉତ୍ତୋଳନରୁ ଲାଭାଂଶ ପ୍ରସଙ୍ଗ ମଧ୍ୟ ନବୀନ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ, ଭାରତର ଖଣିଜ ସମ୍ପଦ ଉତ୍ତୋଳନ ଦିଗରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ । ତେଣୁ,  ପୂର୍ବାଞ୍ଚଳର ଅର୍ଥନୈତିକ ବିକାଶରେ ଏହାର ଲାଭାଂଶ  ବିନିଯୋଗ ହେଉ ବୋଲି ସେ କହିଥିଲେ । ୨୦୧୨ରୁ କୋଇଲା ରୟାଲ୍‌ଟି ଦର ପୁନଃ ନିର୍ଦ୍ଧାରିତ ହୋଇନଥିବା ହେତୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ ଦୃଷ୍ଟିକୋଣରୁ ଜାତୀୟ ସହମତି ଜରୁରୀ ଏବଂ ସବୁର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ଦୁଇଗୁଣା ହେବା ଉଚିତ୍ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସାମନାରେ ଯୁକ୍ତି ବାଢିଥିଲେ ନବୀନ ପଟ୍ଟନାୟକ। ନବୀନ କହିଥିଲେ, ଏହି ୪ ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା  ବହୁ ଅଧିକ, ତେଣୁ, ସେମାନଙ୍କ ଦ୍ବାରା ବ୍ୟବହ଼ତ 'ହୋ', 'ଭୂମିଜ' ଏବଂ 'ମୁଣ୍ଡାରୀ' ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଉ ।

ସେହିପରି, ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣାରେ ସବସିଡି ଦିଆ ନଯିବା, ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣା ଜମି ଦେଉଥିଲେ ବି ପ୍ରକଳ୍ପଗୁଡ଼ିକ ବିଳମ୍ବ ହେଉଥିବା ନେଇ ସେ ଏହି  ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଥିଲେ । ଏହି ବୈଠକରେ, ୪ ପୂର୍ବାଞ୍ଚଳ ରାଜ୍ୟର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ଅଧିକାରୀମାନେ ଯୋଗ ଦେଛଥିଲେ । ସେହିଭଳି କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏହି ବୈଠକରେ ମଧ୍ୟ ଯୋଗଦେଇଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.