ପିପିଲି ଉପନିର୍ବାଚନ : ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
7/04/2021 at 12:16 PM

ଭୁବନେଶ୍ବର ୭।୪: ପିପିଲି ଉପନିର୍ବାଚନ ପାଇଁ ମାହୋଲ ସରଗରମ । ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ଲାଗି ଜୋରଦାର ପ୍ରଚାର ଚଲାଇଛନ୍ତି । ଏହାସହ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କୁ ସାଙ୍ଗରେ ଧରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ତେବେ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ପ୍ରଚାର କରିବେ ବୋଲି ବିଜେଡି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି । ପ୍ରତି ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କରାଯିବ । କର୍ମୀ ଏକାଠି ହେବା ସ୍ଥାନରେ ଏଲଇଡି ଲାଗିବ । ୩୫ ହଜାର ଭୋଟ୍ ରେ ଜିତିବା ନେଇ ଯୋଜନା ରଖିଛି ଦଳ ।
ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲିପଡିଥିବା ପିପିଲି ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ୍ ହେବ । ମେ’ ୨ ତାରିଖରେ ଉପନିର୍ବାଚନ ଫଳାଫଳ ଘୋଷଣା ହେବ ।