ମୌସୁମୀ ଆଗମନ ପୂର୍ବରୁ ବାତ୍ୟା ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନବୀନ, ୫ ଲକ୍ଷ ପକ୍କା ଘର ପାଇଁ ଦାବି

Published By : Prameya-News7 Bureau | May 13, 2019 IST

ଭୁବନେଶ୍ବର ୧୩।୫ : ସାମୁଦ୍ରିକ ବାତ୍ୟା ଫନି କ୍ଷୟକ୍ଷତିର ପ୍ରାଥମିକ  ଆକଳନ  ପରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବାତ୍ୟାରେ ୧୪ ଜିଲ୍ଲାର ୫ଲକ୍ଷ ଘର ଭାଙ୍ଗିଥିବା ପ୍ରାଥମିକ ସର୍ଭେରୁ ଜଣା ପଡିଛି। ସେହି  ଅନୁସାରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ଲକ୍ଷ ପକ୍କା ଘର ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ରରେ ନିବେଦନ କରିଛନ୍ତି । ଆଗକୁ ବର୍ଷାଋତୁ, ଏଣୁ ମୌସୁମୀ ଆଗମନ ପୂର୍ବରୁ କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ନବୀନ ପତ୍ରରେ ଉଲ୍ଲେଖ  କରିଛନ୍ତି।

{"id":111446,"width":582,"height":378}

ପତ୍ରରେ ବାତ୍ୟା ଫନି ମୁକାବିଲା ନିମନ୍ତେ କେନ୍ଦ୍ର ସରକାରଙ୍କ ସହାୟତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ଲୋକେ ଏବେ ଅତ୍ୟନ୍ତ ଦୟନିୟ ହୋଇପଡିଥିବା  ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ  ଯୁଧ୍ୟକାଳୀନ ଭିତ୍ତିରେ କ୍ଷୟକ୍ଷତି ଆକଳନ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ପତ୍ରରେ ସୂଚିତ କରିଛନ୍ତି। ନିକଟରେ ମିଳିଥିବା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟରେ ପ୍ରଭାବିତ ୧୪ଟି ଜିଲ୍ଲାରେ ୫ଲକ୍ଷ  ଘର ଭାଙ୍ଗିଥିବା ଓ ପୁରୀ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନବୀନ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ବାସ୍ତବରେ କେତେ ଘର ଭାଙ୍ଗିଛି ତାହା ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ମିଳିବାପରେ ଜଣାପଡିବ ବୋଲି କହିଛନ୍ତି।

{"id":111447}

ପ୍ରଧାନମନ୍ତ୍ରୀ ଗତ ୬ ତାରିଖ ଓଡିଶା ଗସ୍ତକାଳରେ ନିଜେ ବାତ୍ୟା କ୍ଷୟକ୍ଷତିର ପ୍ରତ୍ୟକ୍ଷ ଅନୁଭବ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ  ଏହି ଗସ୍ତକାଳରେ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରାକୃତିକ ବିପର୍ଯୟ ନିରୋଧୀ ସ୍ବତନ୍ତ୍ର ବାସ ଗୃହ ନିର୍ମାଣର ଜରୁରି ଆବଶ୍ୟକତା ନେଇ  ରାଜ୍ୟ ପ୍ରଶାସନ ପକ୍ଷରୁ ଏକ ଉପସ୍ଥାପନା ମଧ୍ୟ କରାଯାଇଥିଲା। ଏଣୁ ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ଏଇଭଳି ୫ଲକ୍ଷ ସ୍ବତନ୍ତ୍ର୍ ବାସଗୃହ ନିର୍ମାଣ ନିମନ୍ତେ  ତୁରନ୍ତ  ସହାୟତା ଯୋଗାଇଦେବାକୁ   ନବୀନ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

{"id":111449}

ରାଜ୍ୟରେ ଏବେ ଗ୍ରୀଷ୍ମ ଋତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜୁନ ୧୦ ତାରିଖ ବେଳକୁ ରାଜ୍ୟକୁ ମୌସୁମୀ ଆଗମନ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏଣୁ ବର୍ଷାଋତୁକୁ ଦୃଷ୍ଟିରେ ରଖି ବାତ୍ୟାରେ ବାସହରା ଲୋକଙ୍କୁ ପକ୍କା ଘରଯୋଗାଇଦେବା କେତେ ଜରୁରି ତାହା ଅନୁମାନ କରି ତୁରନ୍ତ ସହାୟତା ଯୋଗାଇଦେବାରୁ ନବୀନ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏଣୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଜୁନ ୧ ତାରିଖରୁ ପ୍ରଭାବିତ ଲୋକଙ୍କୁ କାର୍ଯ୍ୟାଦେଶ ଜାରି କରିବାକୁ ନିଷ୍ପତି ନେଇଛନ୍ତି। ଏଣୁ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.