ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ, କରୋନା ସଂପର୍କରେ ଦେଇପାରନ୍ତି ପରାମର୍ଶ
9/04/2021 at 12:21 PM

ଭୁବନେଶ୍ବର ୯।୪: ପୁଣି ଥରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଫଳରେ ରାଜ୍ୟ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । କଟକଣା କଡାକଡି ହେବା ସତ୍ତ୍ବେ କିଛି ସ୍ଥାନରେ କୋଭିଡ୍ ନିୟମ ଉଲଂଘନ ହେଉଛି । ତେଣୁ ମୁଖ୍ୟମନ୍ତ୍ରୀ ଏ ସବୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ସହ ଲୋକଙ୍କୁ ସଚେତନ କରିବାକୁ କିଛି ପରାମର୍ଶ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ସେପଟେ କରୋନାକୁ ନେଇ ଏସଆରସି ମଧ୍ୟ କଟକଣା ଜାରି କରିଛନ୍ତି । ବସ୍, ଟ୍ରେନ, ବିମାନ ବା ନିଜ ଗାଡ଼ିରେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ତା ନହେଲେ ୭ ଦିନ ପାଇଁ କ୍ବାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆସନ୍ତା ୧୨ ତାରିଖରୁ ଲାଗୁ ହେବ । ଏଥି ସହିତ ଛତିଶଗଡ଼ରୁ ଓଡ଼ିଶା ପ୍ରବେଶ ଉପରେ କଟକଣା । ଛତିଶଗଡ଼-ଓଡ଼ିଶା ଗାଡ଼ି ଚଳାଚଳ ବନ୍ଦ । ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଛତିଶଗଡ଼ରୁ ଓଡ଼ିଶା ଟ୍ରେନ୍ ଚଳାଚଳ ବନ୍ଦ ପାଇଁ ରେଲଓ୍ବେକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । କୋଭିଡ୍ ସ୍ଥିତି ସମୀକ୍ଷା ପରେ ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଏପ୍ରିଲ ୧୦ ରୁ ୩୦ ତାରିଖ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ। ଆଦେଶକୁ କଡ଼ାକଡ଼ି ପାଳନ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଡର ଚେକ୍ ପୋଷ୍ଟ କଡ଼ା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚେକ୍ ପୋଷ୍ଟ ଦେଇ ଆସୁଥିବା ଲୋକ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ । ନେଗେଟିଭ ରିପୋର୍ଟ ବା ଟିକା ସାର୍ଟିଫିକେଟ ନଥିଲେ ୭ ଦିନ କ୍ୱାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟ । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରେଳ ଯାତ୍ରୀଙ୍କ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ୧୦ ତାରିଖ ଠାରୁ ଛତିଶଗଡ଼କୁ ସବୁ ପ୍ରକାର ଟ୍ରେନ୍ ବନ୍ଦ । ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସବୁ ଟ୍ରେନ୍ ବନ୍ଦ ରହିବ। ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବ । ଓଡ଼ିଶାକୁ ଆସୁଥିବା ଅନ୍ୟ ରାଜ୍ୟର ଯାତ୍ରୀଙ୍କ ପାଇଁ ମଧ୍ୟ କଟକଣା ଲାଗୁ ହେବ । ଓଡ଼ିଶା ଆସିବାକୁ ଥିଲେ RTPCR ନେଗେଟିଭ୍ ରିପୋର୍ଟ ଜରୁରୀ ରହିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୬୮୦୮ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୬୮୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯୪୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୮୮୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୩୦୪୭୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।