ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
18/03/2019 at 4:14 PM

ଭୁବନେଶ୍ବର ୧୮|୩ : ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜେଡିର ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ଆସନ ପାଇଁ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ତେବେ ନାମାଙ୍କନ ଦାଖଲ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି ।
ତେବେ ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢିବେ ବୋଲି ଘୋଷଣା କରିଛନ୍ତି । ବରଗଡ ସଂସଦୀୟ କ୍ଷେତ୍ର ବିଜେପୁର ଏବଂ ଆସିକା ସଂସଦୀୟ କ୍ଷେତ୍ରର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢିବେ ନବୀନ । ଏହି ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୮ ତାରିଖ ହେବ ।
ତେବେ ଗତକାଲି ପଶ୍ଚିମ ଓଡିଶାରୁ ନବୀନ ପ୍ରାର୍ଥୀ ହେବା ନେଇ ପଶ୍ଚିମ ଓଡିଶା ନେତା, ବୁଦ୍ଧିଜୀବୀ, କର୍ମୀ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ବୋଲି ନବୀନ କହିଥିଲେ ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ୪ଥର ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇଆସୁଛନ୍ତି ନବୀନ । ଏବେ ପୁଣିଥରେ ବିଜେଡିକୁ ବିଜୟ କରାଇବା ପାଇଁ ହିଞ୍ଜିଳି ନିର୍ବାଚନ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ନିର୍ବାଚନ ଲଢିବେ ନବୀନ ।