ରଥଯାତ୍ରା: ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- 'ଆମ ଉପରେ ଏବେ ସାରା ବିଶ୍ଵର ନଜର'

Published By : Prameya-News7 Bureau | June 22, 2020 IST

ଭୁବନେଶ୍ଵର ୨୨।୦୬: ପୁରୀରେ ରଥ ଯାତ୍ରା ଆୟୋଜନ ନେଇ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ସେହିପରି ପୁରୀରେ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଆୟୋଜନ ନେଇ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଉଲ୍ଲେଖନୀୟ ଆଜି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନେତୃତ୍ଵାଧୀନ ତିନି ଜଣିଆ ଖଣ୍ଡପୀଠ କୋଭିଡ୍-୧୯ ନିୟମ କଡାକଡି ସହିତ କେବଳ ପୁରୀରେ ରଥ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି।

ରଥଯାତ୍ରା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀ ମନ୍ଦିର ପ୍ରଶାସନ ପୂରା ପ୍ରସ୍ତୁତ। ଠିକ୍ ସମୟରେ ରଥ ଅନୁକୂଳ ଏବଂ ନିର୍ମାଣ ସରିଛି। ଏହା ସହିତ ଚତୁର୍ଦ୍ଧାମୂରତିଙ୍କ ସବୁ ରୀତିନୀତି ଠିକ୍ ଭାବରେ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ସେବାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରଥ ଯାତ୍ରା କେମିତି ସୁରୁଖୁରୁରେ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀ, ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଏବଂ ଯୋଜନା ବୋର୍ଡର ଉପାଧ୍ୟକ୍ଷଙ୍କୁ ଦାୟିତ୍ଵ ଦେଇଛନ୍ତି। ପୁରୀରେ କ୍ୟାମ୍ପ କରି ଏସବୁ କାର୍ଯ୍ୟର ତଦାରଖ ପାଇଁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରହିବାକୁ କହିଛନ୍ତି।

wp:html
/wp:html

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଶାସନ ସମସ୍ତ ପ୍ରସ୍ତୁତି କରି ସାରିଛି। ମୁଖ୍ୟ ଶାସନ ସଚିବ ଏବଂ ଡିଜି ପୁରୀରେ ରହି ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି। ବର୍ତ୍ତମାନ କୋଭିଡ୍-୧୯ ଯୋଗୁଁ ସାରା ବିଶ୍ଵ ସଂପ୍ରତି କଠିନ ସମୟ ଦେଇ ଗତି କରୁଛି। ଏହି ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବେ ଆମ ପାଇଁ ଏକ ଚ୍ୟାଲେଞ୍ଜ। କୋଭିଡ୍ ପରିସ୍ଥିତିରେ ରଥଯାତ୍ରାକୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅତି ସାବଧାନର ସହ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରଥଯାତ୍ରା ପରିଚାଳନାରେ ଭାଗ ନେଇଥିବା ସମସ୍ତେ କୋଭିଡ୍ ଗାଇଡ୍‌ଲାଇନ୍‌ର ପାଳନ କରିବେ। ପରମ୍ପରା ସହିତ ଜନସ୍ଵାସ୍ଥ୍ୟ ପ୍ରତି ଉଚିତ୍ ଧ୍ୟାନ ଦେଇ ଆମକୁ ରଥଯାତ୍ରା ପାଳନ କରିବାକୁ ପଡିବ। ସାରା ବିଶ୍ଵର ନଜର ଏବେ ଆମ ଉପରେ ରହିଛି। ଶୃଙ୍ଖଳା ସହିତ ସାମାଜିକ ଦୂରତା ଓ ଗାଇଡ୍‌ଲାଇନ୍‌କୁ ପାଳନ କରି କେମିତି ଠାକୁରଙ୍କ ନୀତିକାନ୍ତି କରାଯାଏ, ତାର ନିଦର୍ଶନ ଆମକୁ ସାରା ବିଶ୍ଵକୁ ଦେଖାଇବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.