ନୂଆଦିଲ୍ଲୀ ୧୫|୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୩୭ଜଣ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଯବାନ ରହିଛନ୍ତି । ଦୁଇ ଓଡିଆ ଯବାନ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ରତନପୁର ଗାଁରେ ମନୋଜ କୁମାର ବେହେରା ।
{"id":85336}ଦୁଇ ସହିଦଙ୍କ ପରିବାରବର୍ଗଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଫୋନ୍ ଯୋଗେ ଦୁଇ ସହିଦଙ୍କ ପରିବାରଲୋକଙ୍କ ସହ କଥା ହୋଇଛନ୍ତି । ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀଙ୍କୁ ସମବେଦନା ଜଣାଇଛନ୍ତି ନବୀନ । ‘କାନ୍ଦନ୍ତୁନି, ମୁଁ ଆପଣଙ୍କ ସାଥୀରେ ଅଛି’ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସହିଦ ମନୋଜ ବେହେରାଙ୍କ ମାଆଙ୍କ ସହ ମଧ୍ୟ କଥାହେଲେ । ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
{"id":85337}ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ ୭୦ଟି ବସ୍ ଯାଉଥିବା ବେଳେ ଅୱନ୍ତିପୁରାଠାରେ ହଠାତ୍ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଆଇଇଡି ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ୍ ବସକୁ ଧକ୍କା ଦେଇଥିଲା । ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ସିଆରପିଏଫର ୨୫ ଶହ ୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଆତଙ୍କୀ ହମଲା କରିଥିଲେ । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଓ୍ବନ୍ତିପୁରାରେ ସିଆରପିଏଫ୍ ଯବାନଙ୍କ ବସ୍ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ବୋଲି ଜଣାପଡ଼ିଛି।