ରାଉରକେଲାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

Published By : Prameya-News7 Bureau | September 14, 2021 IST

ରାଉରକେଲା ୧୪।୯: ସ୍ଵାସ୍ଥ୍ୟ ସେବା ପାଇଁ ଆଉ ଦୁଇ ପାଦ ଆଗରେ ରାଜ୍ୟ । ରାସନ କାର୍ଡ଼ଧାରୀ ପାଉଛି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ । ମାଲକାନଗିରି ପରେ ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇ ବାଣ୍ଟିଛନ୍ତି ଉତ୍ତମ ସ୍ଵାସ୍ଥ୍ୟ ସେବା ପାଇଁ ସ୍ମାର୍ଟ କାର୍ଡ଼ ଏହାସହ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଗରୀବ ସୀମାରେଖା ତଳେ ବସବାସ କରୁଥିବା ରାସନ କାର୍ଡ଼ଧାରୀଙ୍କ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ମଙ୍ଗଳବାର ଶୁଭାରମ୍ଭ ହୋଇଛି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ । ରାଉରକେଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଇଜିଏଚ ପରିସରରେ ଥିବା ସୁପର ସ୍ପେଶାଲିଟି ହସ୍ପିଟାଲ ଅଡ଼ିଟୋରିୟମରେ ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ଆଉ ଅର୍ଥ ଅଭାବ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ରାସନ କାର୍ଡ଼ଧାରୀ । ପାଇବେ ଉତ୍ତମ ସ୍ଵାସ୍ଥ୍ୟ ସେବା । ଏହି ସ୍ମାର୍ଟ କାର୍ଡ଼ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ଚିକିତ୍ସିତ ହୋଇପାରିବେ ହିତାଧିକାରୀ ।

ସୁନ୍ଦରଗଡ଼ ଜିଲ୍ଲାର ମୋଟ୍ ୧୫ ଲକ୍ଷ ୯ ହଜାର ୮୨୧ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ଦେବା ପାଇଁ ଚୂଡ଼ାନ୍ତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୩୬ ହଜାର ୯୪୮ ହିତାଧିକାରୀଙ୍କୁ ମଙ୍ଗଳବାର ଶୁଭାରମ୍ଭ ପରେ ପ୍ରଦାନ କରିବାର ପ୍ରକିୟା ଆରମ୍ଭ ହୋଇସାରିଛି ।  ଜିଲ୍ଲାର ୧୭ ବ୍ଲକର  ପ୍ରତ୍ୟେକ ବ୍ଲକରେ ଜଣେ ଲେଖାଁଏ ମନ୍ତ୍ରୀ ସହ ଉପଦେଷ୍ଠା ଉପସ୍ଥିତ ରହି ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି ।  ଏହାସହ ଜିଲ୍ଲାରେ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିବା ସହ କିଛି ଯୋଜନାର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.