ଭୁବନେଶ୍ବର ୨୨|୯: ଝାରସୁଗୁଡା ଏବଂ ତାଳଚେର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ଭାବରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ତାର କଡା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ନିଜଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ମୋଦି ଏଭଳି କହିଥାଇପାରନ୍ତି । ପ୍ରଧାନମନ୍ତ୍ରୀ ଉଠାଇଥିବା ପିସି ପ୍ରସଙ୍ଗରେ ନବୀନ କଟାକ୍ଷ କରି ତାହା ସ୍କିଲ୍ ଇଣ୍ଡିଆ ଓ ଉଜ୍ଜଳା ସ୍କିମ୍ ରେ ହୋଇଥିବା ଦୁର୍ନିତୀକୁ ଲକ୍ଷକରି ମୋଦି ଏପରି କହିଥିବେ ବୋଲି କହିଥିଲେ । ସେହିଭଳି ଆୟୁଷ୍ମାନ ଯୋଜନାରେ ସାମିଲ ନହେବା ପଛରେ ଅଧିକା ୫୦ ଲକ୍ଷ ଲୋକଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା କାରଣ ଦର୍ଶାଇଛନ୍ତି ନବୀନ । ରାଜ୍ୟ କିଭଳି ଅଧିକା ୨୫ଲକ୍ଷ ଲୋକଙ୍କୁ ଖ୍ୟାଦ୍ୟ ସୁରକ୍ଷା ଯୋଗାଇବା କଥା ବି କହିଛନ୍ତି । ତେବେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରସଙ୍ଗରେ ମୋଦି କାହିଁକି ନୀରବ କହି ନବୀନ ପାଲଟା ଗୁଗୁଲି ଫିଙ୍ଗିଛନ୍ତି । ଅବଶ୍ୟ ତାଙ୍କ ଦାବି ଅନୁସାରେ ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ସେ ଦେଇଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବାରୁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ତାଳଚେର ସାର କାରଖାନାରୁ ଓଡିଶାର ଚାଷୀ ଯେପରି ୫୦ ପ୍ରତିଶତ ଲାଭ ପାଆନ୍ତା ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କହିଛନ୍ତି।