Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଶ୍ଚିମ ଓଡିଶାରେ କୋଶଲି ଭାଷା କାର୍ଡ ଖେଳିଲେ ନବୀନ : ୨ କେନ୍ଦ୍ରମନ୍ତ୍ରୀଙ୍କ ଦକ୍ଷତା ଉପରେ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର ୧୫/୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶାର ସୁନ୍ଦରଗଡ ଏବଂ ବରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ ମାରାଥନ ନିର୍ବାଚନ ପ୍ରଚାର ଚଳାଇଛନ୍ତି | ପଶ୍ଚିମ ଓଡିଶାରେ ବିଜେଡି ସୁପ୍ରିମୋ ଆଜି କୋଶଲି କାର୍ଡ ଖେଳିଥିବାବେଳେ ୨ଜଣ କେନ୍ଦ୍ରମନ୍ତ୍ରୀଙ୍କ ଦକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଶଲି ଏକ ସୁନ୍ଦର ଭାଷା | ଏହାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନ ଦେବା ପାଇଁ ସେ ବାରମ୍ବାର ଦାବି କରିଆସିଛନ୍ତି | ତେବେ କେନ୍ଦ୍ର ତାଙ୍କ ଦାବିକୁ ଗ୍ରହଣ କରିନାହିଁ |

ଚିରାଚରିତ ଭାବେ ସବୁ ନିର୍ବାଚନୀ ସଭାରେ ନବୀନ କାଳିଆ ଯୋଜନା ପ୍ରସଙ୍ଗ ଉଠାଇଛନ୍ତି | ସେ କହିଛନ୍ତି ଯେ, କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ରାଜ୍ୟର ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି | କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବ ପାଇଁ ଚକ୍ରାନ୍ତ କରୁଛି | ତେବେ ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି | ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ସବୁ ଚାଷୀ କାଳିଆ ଯୋଜନାର ୨ଟି କିସ୍ତି ୧୦ ହଜାର ଟଙ୍କା ଗୋଟିଏ ଥରରେ ପାଇବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି |

ବିଜେପିକୁ ଟାର୍ଗେଟ କରି ନବୀନ କହିଛନ୍ତି ଯେ, ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୨ ଗୁଣ କରିବାକୁ ଘୋଷଣା କରିଥିଲା | ଏଥିରେ ଚାଷୀ ୨ ପଇସା ଅଧିକ ପାଇବା ବୋଲି ସମସ୍ତେ ଖୁସି ଥିଲେ | ସମସ୍ତେ ଏହାକୁ ଅପେକ୍ଷା ମଧ୍ୟ କରିଥିଲେ | କିନ୍ତୁ ସେ ବାବଦରେ ବିଜେପି କିଛି କଲାନାହିଁ | ୨୦୧୬ ମସିହାରେ ଏ ବାବଦରେ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ | ତାପରେ ମଧ୍ୟ କିଛି ହେଲାନାହିଁ | ରାଜ୍ୟ ବିଧାନସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଗଲା | ଗୃହକମିଟି ଗଠନ ହେଲା, ସବୁ ଦଳ ଏଥିରେ ସାମିଲ ହେଲେ | ଚାଷୀଙ୍କ କଥା କହିବାକୁ ଦିଲ୍ଲୀ ଗଲେ | ୨ ବର୍ଷ ବିତିଗଲା | ଚାଷୀଙ୍କ ପାଇଁ ଦିଲ୍ଲୀ ଦରବାର ୨ ମିନିଟ ସମୟ ଦେଇପାରିଲାନାହିଁ | ୨ଜଣ ଓଡ଼ିଆ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି | ସେମାନେ ମଧ୍ୟ ପାଟି ଖୋଲିବାକୁ ସାହସ କଲେନାହିଁ ବୋଲି କହି ନବୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ତୀର ବିନ୍ଧିଛନ୍ତି |


ସେହିଭଳି ସ୍ୱତନ୍ତ୍ର ସାମଗ୍ରୀ ଉପରେ ଜିଏସଟି ଲାଗିଲା | ବୁଣାକାରମାନେ ହଇରାଣ ହେଲେ | ବେପାର ବନ୍ଦ ହେଲା | ଜିଏସଟି କମାଇବା ପାଇଁ ବିଜେଡି କେନ୍ଦ୍ର ନିକଟରେ ଦୃଢ ଦାବି କରିବ ଯୋଗୁଁ ଜିଏସଟି କମିଲା ବୋଲି ନବୀନ କହିଛନ୍ତି | ସେ କହିଛନ୍ତି ଯେ, ” ଆମ କୋଶଲି ଭାଷା ଏକ ସମୃଦ୍ଧ ଭାଷା | କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ରଖିବା ପାଇଁ ମୁଁ ଦାବି କରିଥିଲି | ହେଲେ କିଛି ହେଲାନାହିଁ | ଓଡିଶା ପ୍ରତି, କୋଶଲି ଭାଷା ପ୍ରତି, ଓଡିଶା ବିଧାନସଭା ଗୃହ କମିଟି ପ୍ରତି, ଆମ ଚାଷୀ ଓ ବୁଣାକାରଙ୍କ ପ୍ରତି କେନ୍ଦ୍ର ବିଜେପି ସରକାରର ଦରଦ ଏମିତି | ନିର୍ବାଚନ ହେଲେ ଆସିବେ, ବଡ ବଡ କଥା କହିବେ | ପରେ ଆଉ ଦେଖା ମିଳିବନାହିଁ | ସୁଖରେ ନୁହେଁ କୀ ଦୁଃଖରେ ନୁହେଁ | ମୁଁ କିନ୍ତୁ ଆପଣଙ୍କ ସାଥିରେ ଅଛି | କାମ କରୁଛି ଓ କରୁଥିବି |”


ନିର୍ବାଚନ ସଭାରେ କେନ୍ଦ୍ରକୁ ଟାର୍ଗେଟ କରିବ ସହ ଲୋକଙ୍କ ପାଖରେ ଭୋଟ ଭିକ୍ଷା କରିଛନ୍ତି ନବୀନ |

208 Views

   ସମ୍ବନ୍ଧିତ ଖବର