କୋଭିଡ ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ସତର୍କ ଓ ସଚେତନ ରହିବାକୁ ଦେଲେ ପରାମର୍ଶ

Published By : Prameya-News7 Bureau | November 04, 2020 IST

ଭୁବନେଶ୍ୱର, ୦୪/୧୧: ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି ।   ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବୁଧବାର କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ  ଏହା କହିଛନ୍ତି ।

ସମାକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ କୋଭିଡ ନିୟମ ଯଥା – ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡାକଡି ଭାବରେ ଜାରି ରଖିବାକୁ ପଡିବ । ଏଥିରେ ଆଦୌ କୋହଳ କରାଯାଇପାରିବ ନାହିଁ । କାରଣ ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମି ଥିବାରୁ ଓ ଆରୋଗ୍ୟ ହାର ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଓନାମ୍‌ ପର୍ବ ପାଳନ ପରେ କେରଳରେ ଉପୁଜିଥିବା ଅବସ୍ଥା ଏବଂ ଦିଲ୍ଲୀର ବର୍ତ୍ତମାନ ଅବସ୍ଥା ସଂପର୍କରେ ଉଦାହରଣ ଦେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଏ କ୍ଷେତ୍ରରେ ସାମାନ୍ୟ ଢିଲାପଣ ଗ୍ରହଣୀୟ ନୁହେଁ ବୋଲି  କହିଥିଲେ।  ଗତ ପୂଜା ସମୟରେ କୋଭିଡ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ  ସଂଯମତାର ସହିତ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମୟରେ ପ୍ରଶାସନ ଓ ପୋଲିସ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ । ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଦୀପାବଳି କଟକଣା ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହି କଟକଣାକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି କୋଭିଡରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କ ଠାରେ କେତେକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବା ଜଣାପଡିଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହିତ ଉପଯୁକ୍ତ ପ୍ରୋଟୋକଲ୍‌ ପ୍ରସ୍ତୁତ କରିବା ଏବଂ ଏଥିପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏତଦ୍‌ବ୍ୟତୀତ କୋଭିଡ ପରବର୍ତ୍ତୀ ସ୍ବାସ୍ଥ୍ୟର ଯତ୍ନ ସଂପର୍କରେ ବ୍ୟାପକ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆହୁରି ମଧ୍ୟ କୋଭିଡ ଜନିତ ଆର୍ଥିକ ଶିଥିଳତା ସମୟରେ ଆମର ଗରିବ ଲୋକମାନେ ଯେଭଳି ବିଶେଷ ପ୍ରଭାବିତ ନ ହେବେ, ତାକୁ ଦୃଷ୍ଟିରେ ରଖି ଜୀବିକା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗକୁ ପରାମର୍ଶ ଦେଇଥିଲେ ।

 ବୈଠକରେ ଉନ୍ନୟନ କମିଶନର  ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର  ପି.କେ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.