ନୂଆବର୍ଷରେ ବୌଦ୍ଧବାସୀଙ୍କୁ ୧୧୪କୋଟିର ଉପହାର ଦେଲେ ମୁଖ୍ୟମନ୍ତ୍ରୀ
3/01/2020 at 9:08 AM

ବୌଦ୍ଧ ୩।୧: ନୂଆ ବର୍ଷରେ ବୌଦ୍ଧବାସୀଙ୍କୁ ୧୧୪କୋଟିର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଛୁଆ ଅଞ୍ଚଳ ଭାବେ ପରିଗଣିତ ବୌଦ୍ଧ ଜିଲ୍ଲାରେ ଏହି ଅର୍ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣ ସହିତ ୨୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଲୋକସେବା ଭବନରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦ୍ଘାଟନ କରିବା ସହ ଜିଲ୍ଲାରେ ୨୭ଟି ନୂତନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ୬୦ କୋଟି ଟଙ୍କା ବିନିଯୋଗ କରାଯିବ । ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି- ସଡକ ନିର୍ମାଣ ଏବଂ ମରାମତି, ନୂତନ ସ୍ପୋର୍ଟସ କଂପ୍ଲେକ୍ସ, ଛାତ୍ରୀ ନିବାସ ନିର୍ମାଣ ।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ବୌଦ୍ଧ ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।