ରାଜଧାନୀରେ ‘ମୋ ସାଇକେଲ୍’ ଯୋଜନାର ହେବ ଶୁଭାରମ୍ଭ ; ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
26/11/2018 at 9:41 AM

ଭୁବନେଶ୍ବର ୨୬|୧୧: ରାଜଧାନୀରେ ସାଇକେଲ ଚଲାଇବାର ମଜା ନେବାକୁ ଚାହୁଁଛନ୍ତି କି । ଆଉ ଘରୁ ସାଇକେଲ ନେଇ ଆସିବାକୁ ପଡିବନି । କିମ୍ବା ଅଧିକ ଟଙ୍କା ଖର୍ଚ୍ଚ କରି ସାଇକେଲ ବି କିଣିବାକୁ ପଡିବନି । ଏଥିପାଇଁ ରାଜଧାନୀରେ ବିଡିଏ ପକ୍ଷରୁ ମୋ ସାଇକେଲ ଯୋଜନାକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ୧୦ଟା ୩୦ରେ ଏୟାରପୋର୍ଟ ଛକରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋ ସାଇକେଲ ଆପକୁ ଉଦଘାଟନ କରିବେ। ଏଥିପାଇଁ ରାଜଧାନୀରେ ଏକ ସାଇକେଲ ଟ୍ରାକ୍ ପ୍ରସ୍ତୁତ କରାଯାଇଛି । ସାଧାରଣ ଲୋକଙ୍କୁ ସାଇକେଲ ଯୋଗାଇଦେବା ପାଇଁ ବିଡିଏ ପକ୍ଷରୁ ତିନୋଟି ସାଇକେଲ କମ୍ପାନୀ ସହିତ ଚୁକ୍ତି ସ୍ବାକ୍ଷର କରାଯାଇଛି । ଏହି ତିନୋଟି କମ୍ପାନି ରାଜଧାନୀରେ ନିଜ ନିଜ କମ୍ପାନିର ପ୍ରଥମ ପର୍ଯ୍ୟାୟରେ ୩ହଜାର ସାଇକେଲ ଯୋଗାଇଦେବେ । ରାଜଧାନୀରେ କମ୍ପାନୀ ପକ୍ଷରୁ ୧୨୦ଟିସ୍ଥାନରେ ସାଇକେଲ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଉଛି । ଏଥି ସହିତ ଗୋଟିଏ ସାଇକେଲ ଜଣେ ବ୍ୟକ୍ତି ଗୋଟିଏ ପଏଣ୍ଟରୁ ନେବା ପରେ ସେହି ସାଇକେଲକୁ ଯେ କୌଣସି ସାଇକେଲ ଷ୍ଟାଣ୍ଡରେ ଡିପୋଜିଟ୍ ଦେଇପାରିବେ। ଏଥିସହିତ ଜଣେ ବ୍ୟକ୍ତି ଶହେ ଟଙ୍କା ଦେଇ ମେମ୍ବର ହେଲେ ଗୋଟିଏ ମାସ ପାଇଁ ୧୫ ଘଣ୍ଟା ସାଇକେଲ ଚଲାଇପାରିବ । ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଅଧଘଣ୍ଟା ସାଇକେଲ ନେବା ପରେ ଯଦି ଅଧିକ ସମୟ ଚାହାନ୍ତି ତେବେ ପ୍ରତି ଘଣ୍ଟାକୁ ୫ଟଙ୍କା ଅଧିକ ଦେବାକୁ ପଡିବ ।