ପୁରୀରେ ‘ଜାଗା ମିଶନ’ ଯୋଜନାରେ ଜମି ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | November 15, 2018 IST

ପୁରୀ ୧୫|୧୧: ଜାଗା ମିଶନ ଯୋଜନା ମାଧ୍ୟମରେ ମାଗଣା ଜମି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୮ ଟି ଜିଲ୍ଲାର ୨୩ ଟି ପୌରାଞ୍ଚଳର ଭୂମିହୀନ ବସ୍ତିବାସିନ୍ଦା ମାନେ ଏହି ମାଗଣା ଜମି ଅଧିକାର ହାସଲ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୮ ଟି ଜିଲ୍ଲାର ପ୍ରାୟ ୧୦ ହଜାର ବସ୍ତିବାସିନ୍ଦା ଏହା ଦ୍ବାରା ଉପକୃତ ହୋଇଛନ୍ତି। କେବଳ ପୁରୀ ଜିଲ୍ଲାର ୨୨ ଟି ବସ୍ତିର ୬୫୦୦ ହିତାଧିକାରୀଙ୍କୁ ଆଜି ଜମିର ମାଲିକାନା ସତ୍ତ୍ବ ଜାଗା ମିଶନ ଯୋଜନା ମାଧ୍ୟମରେ ଦିଆଯାଇଛି। ପୁରୀ ତାଳବଣିଆ ଇନଡ଼ୋର ଷ୍ଟାଡ଼ିୟମରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୮ ଟି ଜିଲ୍ଲାର ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ୨ ହଜାର ବସ୍ତିକୁ ସାମିଲ କରାଯିବ ବୋଲି ପୁର୍ତ୍ତ ଓ ଗୃହ ନିର୍ମାଣ ମନ୍ତ୍ରୀ କହିଛନ୍ତି । ରାଜ୍ୟର ୨ ଲକ୍ଷ ପରିବାର ୧୦ ଲକ୍ଷ ଲୋକ ଏହି ଯୋଜନା ମାଧ୍ୟମରେ ଜମି ଅଧିକାର ପାଇବାର ଲକ୍ଷ୍ୟ ରଖାଯାଇଛି। ସମସ୍ତ ସହରାଞ୍ଚଳକୁ ସ୍ଲମ୍ ଫ୍ରି ସିଟି ଭାବେ ବିବେଚନା କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି। ଏପରି ଏକ ଯୋଜନା ବିଶ୍ବର ପ୍ରଥମ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଦୀର୍ଘ ଦିନ ପରେ ନିଜେ ରହୁଥିବା ସ୍ଥାନର ମାଗଣା ଜମି ପଟ୍ଟା ପାଇବା ପରେ ହିତାଧିକାରୀ ମାନେ ବେଶ୍ ଖୁସି ଅନୁଭବ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.