କଳାହାଣ୍ଡିରେ ଲଗାତର ଦ୍ବିତୀୟ ଦିନ ପାଇଁ ନବୀନଙ୍କ ପ୍ରଚାର, ପୁଣି ଉଠାଇଲେ ମା ମାନେ ବିକାଶର ଡବଲ୍ ଇଞ୍ଜିନ୍ ପ୍ରସଙ୍ଗ

Published By : Prameya-News7 Bureau | April 09, 2019 IST

କଳାହାଣ୍ଡି ୯|୪ : ପ୍ରଥମ ଦଫା ପ୍ରଚାରର ଶେଷ ଦିନରେ କଳାହାଣ୍ଡିରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଉପରେ ବର୍ଷିବା ସହ ବିଜେଡି ସରକାରର ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ବଖାଣିଥିଲେ ନବୀନ । ବିଜେପିର ଡବଲ ଇଞ୍ଜିନ୍ ନାରାକୁ କାଉଣ୍ଟର କରି ନବୀନ କହିଛନ୍ତି ମା’ ମାନେ ହେଉଛନ୍ତି ପ୍ରକୃତରେ ବିକାଶର ଡବଲ ଇଂଜିନ୍ ।

ବିଜେଡି ସରକାର ସବୁବେଳେ ମହିଳାଙ୍କୁ ଗୁରୁତ୍ବ ଦେଇ ଆସିଛି । ସବୁ ଝିଅ ମାଗଣାରେ ପଢିବେ ବୋଲି ନବୀନ ଘୋଷଣା କରିଛନ୍ତି । କେଜିରୁ କଲେଜ, ମେଡିକାଲ-ଇଂଜିନିୟରିଂ ସବୁ ମାଗଣା । ମହିଳାଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତା ରାଶି ୭ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଛନ୍ତି ଇଲେକ୍ସନ ଆସିଲେ କେନ୍ଦ୍ରର ବଡ ବଡ ନେତାଙ୍କ ନୂଆପଡ଼ା ଓ କଳାହାଣ୍ଡି କଥା ମନେପଡେ । ଭବାନୀପାଟଣାରେ ୱାଗନ ଫ୍ୟାକ୍ଟ୍ରି, ଦୁଇ ଗୁଣା ଏମଏସପି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ଏହାସହ କେବିକେ ଯୋଜନା, ଏସ୍ ସି-ଏସ୍ ଟି ସ୍କଲାରସିପ୍ ବନ୍ଦ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି । ଭବାନୀପାଟଣାରେ ମଣିକେଶ୍ବରୀଙ୍କ ଦର୍ଶନରୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ନବୀନ । ୧୦ ଟା ୪୫ରେ ମାଆ ମଣିକେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ହେଲିପ୍ୟାଡ ଯାଏ ରୋଡ ଶୋ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ । ଜୟପାଟଣା ବ୍ଲକର ଚାଚିପଡ଼ା, ତୁଳାପଡ଼ା ଏବଂ ବିଶ୍ବନାଥପୁର ଆଦି ସ୍ଥାନରେ ନବୀନ ନିର୍ବାଚନ ପ୍ରଚାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.