ପୁରୀରେ ‘କାଳିଆ’ ମହାସମାବେଶ ; ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
25/01/2019 at 8:52 AM

ପୁରୀ ୨୫|୧: ରାଜଧାନୀରେ ରାହୁଲ ଗାନ୍ଧିଙ୍କ ପରିବର୍ତ୍ତନ ସଂକଳ୍ପ ସମାବେଶକୁ ଟକ୍କର ଦେବ ମୁଖ୍ୟମନ୍ତ୍ରୀଙ୍କ ପୁରୀରେ ‘କାଳିଆ’ ମହାସମାବେଶ। ‘କାଳିଆ’ ଯୋଜନାରେ ଆଜିଠୁ ଚାଷୀଙ୍କ ଟଙ୍କା ବଣ୍ଟନ କରାଯିବ। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକକୁ ଟଙ୍କା ଟ୍ରାନ୍ସଫର କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ୪୯୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଯିବ ।
ପୁରୀ ଉପକଣ୍ଠ ମାଳତୀପାଟପୁର ନିକଟ ରାହାଙ୍ଗିରିଆ ପଡିଆରେ ଅନୁଷ୍ଠିତ ହେବ ଚାଷୀ ମହାସମାବେଶ । ଏଥିରେ ପ୍ରାୟ ଦେଢ଼ ଲକ୍ଷ ଚାଷୀ ଯୋଗଦେବେ। ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯାଇ ପୁରୀ ଜିଲ୍ଲା ସ୍କୁଲ ହେଲିପ୍ୟାଡ୍ ରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ପରେ ସମାବେଶ ସ୍ଥଳକୁ ଆସିବେ । ସେଠାରେ ଚୟନ ହୋଇଥିବା ଚାଷୀମାନଙ୍କ ପାଇଁ କାଳିଆ ସହାୟତା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ସହ ଉପସ୍ଥିତ ଲକ୍ଷାଧିକ ଚାଷୀଙ୍କୁ ସମ୍ବୋଧିତ କରିବେ । ୨୧ ଲକ୍ଷ ଚାଷୀ କାଳିଆ ସହାୟତା ପାଇବାକୁ ଆବେଦନ କରିଥିଲେ ମଧ୍ୟ ବଳକା ଚାଷୀ ପୁରା ତଥ୍ୟ ଦେଇନାହାନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଆବେଦନକାରୀଙ୍କ ତଥ୍ୟ ଯାଞ୍ଚ କରାଯାଇ ସହାୟତା ରାଶି ଦିଆଯିବ । ପୋଲିସ ପକ୍ଷରୁ ସମାବେଶ ସ୍ଥଳରେ କଡ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।