ସ୍ବର୍ଗଦ୍ବାର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୫କୋଟି ଟଙ୍କା : ୬ମାସ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | November 01, 2019 IST

ପୁରୀ ସ୍ବର୍ଗଦ୍ବାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ ଏବଂ ଫୋଏନିକ୍ସ ଫାଉଣ୍ଡେସନ୍ ସହଯୋଗରେ ଏହି ବିକାଶ କାର୍ଯ୍ୟା କରାଯିବ ।

ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫନି ପରେ ସ୍ବର୍ଗଦ୍ବାରର ବହୁତ କ୍ଷତି ହୋଇଥିଲା । ଏଥିରେ ଶବଦାହଠାରୁ ଆରମ୍ଭ କରି ଶବ ବାହକ ମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ  ସୁବିଧାରେ ଶବଦାହ ପାଇଁ ଏଠାରେ ବ୍ୟବସ୍ଥା କରାଯିବ । ଶବଦାହକ ମାନଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷଠାରୁ ଆରମ୍ଭ କରି ବ୍ୟାପକ ବୃକ୍ଷରୋପଣ କରାଯିବ । ଅସ୍ଥି ସଂଗ୍ରହ ଏବଂ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏହି କାମ ଆରମ୍ଭର ୬ ମାସ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁ କୋଟି କୋଟି ଓଡିଆଙ୍କ ହୃଦୟରେ ଅଛନ୍ତି । ସ୍ବର୍ଗଦ୍ବାରରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ସେ ସବୁ ଏବେ ଓଡିଶାବାସୀଙ୍କ ସେବାରେ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ବର୍ଗଦ୍ବାରରକୁ ବିଶ୍ବାସ ପବିତ୍ର ଭୂମି ଭାବରେ ବର୍ଣ୍ଣନା କରି ଏହାର ବିକାଶରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, କ୍ରୀଡା ମନ୍ତ୍ରୀ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ, ପୁରୀ ଜିଲ୍ଲାପାଳ, ଫୋନିକ୍ସ ଫାଉଣ୍ଡସେନର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.