ସାମୁଦ୍ରିକ ବାତ୍ୟା ‘ଫନି’ ପାଇଁ ଓଡିଶାବାସୀଙ୍କୁ ଆତଙ୍କିତ ନହେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Published By : Prameya-News7 Bureau | May 02, 2019 IST

ଭୁବନେଶ୍ବର ୨|୫: ସାମୁଦ୍ରିକ ଝଡ ‘ଫନି’ ପାଇଁ ଆତଙ୍କିତ ସାରା ରାଜ୍ୟ । ଫାଇଲିନ୍ ଠାରୁ ବଡ ଏବଂ ତିତଲିଠାରୁ କମ୍ ପ୍ରଭାବ ଥିବା ‘ଫନି’ ପାଇଁ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ, ଆତଙ୍କିତ ହୁଅନ୍ତୁ ନାହିଁ, ଶାନ୍ତ ରୁହନ୍ତୁ ଏବଂ ସରକାରଙ୍କୁ ସହଯୋଗ କରନ୍ତୁ।

ତେବେ ଅତି ଭୀଷଣ ଚକ୍ରବାତର ରୂପ ନେଇଛି ‘ଫନି’ । ଏହା ପୁରୀଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ବିଶାଖାପାଟଣାରୁ ୨୧୦କିଲୋମିଟର ଦୂରରେ ରହିଛି । ଘଣ୍ଟାକୁ ୧୫ କିଲୋମିଟର ବେଗରେ ‘ଫନି’ ଓଡିଶା ମୁହାଁ ରହିଛି। ‘ଫନି’ ଆସନ୍ତାକାଲି ଅପରାହ୍ନ ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ । ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ। ଏ ନେଇ ଏସଆରସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ । ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ବଢିପାରେ । ଲ୍ୟାଣ୍ଡଫଲ୍ ବେଳେ ୧.୫ ମିଟର ଉଚ୍ଚ ସମୁଦ୍ର ଜୁଆର ଉଠିବା ଆଶଙ୍କା ରହିଛି । ରାଜ୍ୟର ସମସ୍ତ ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.