Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ଏବେ ବି ଜଳବନ୍ଦୀ ଅବସ୍ଥା: ବନ୍ୟା ପ୍ରଭାବିତ ଅଂଚଳ ପାଇଁ ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

10/09/2018 at 5:45 PM

ଭୁବନେଶ୍ବର୧୦|୯: ବନ୍ୟା ପ୍ରଭାବିତ ଅଂଚଳ ପାଇଁ ୭ଦିନ ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବର୍ଷା କମିଛି । ଏଥିସହ ହ୍ରାସ ପାଇଛି ବିଭିନ୍ନ ନଦୀର ଜଳସ୍ତର । ତଥାପି ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ଅନେକ ଲୋକ ଏବେ ବି ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ୩ଟି ଜିଲ୍ଲାର ମୋଟ ୧୭ଟି ବ୍ଲକ ଏବଂ ୪ଟି ପୌର ପରିଷଦ ସହ ୯୦୩ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ପାଖାପାଖି ସାଢ଼େ ୭ଲକ୍ଷ ଲୋକ ଚଳିତ ବନ୍ୟାରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି । ଏହାକୁ ନଜରରେ ରଖି ଆଜି ବନ୍ୟା ପ୍ରଭାବିତ ଅଂଚଳ ପାଇଁ ୭ଦିନ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନ୍ପରେନ୍ସିଂ ଜରିଆରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ପ୍ରଭାବିତ ଅଂଚଳରେ ବୟସ୍କ ମାନଙ୍କୁ ଦୈନିକ ୬୦ଟଙ୍କା ଏବଂ ୧୨ବର୍ଷରୁ କମ୍ ବୟସ୍କ ପିଲାମାନ ପାଇଁ ଦୈନିକ ୪୫ଟଙ୍କା ହିସାବରେ ରିଲିଫ୍ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।
ଏଥିସହ ପ୍ରଭାବିତ ଅଂଚଳରେ ଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚିକିତ୍ସା ସହ ଟୀକାକରଣ କରାଯିବ । ଚଳିତ ବନ୍ୟାରେ ପ୍ରାୟ ୫୦ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୦ଜହାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବଂ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି । ଯାଜପୁର ଜିଲ୍ଲାରେ ଏବେବି ଅନେକ ଗାଁ ପାଣି ଘେରରେ ରହିଛି । ଲୋକେ ଜଳବନ୍ଦୀ ହେ।ଇ ରହିଛନ୍ତି । ଭଦ୍ରକର ଚାନ୍ଦବାଲିରେ ବନ୍ୟା ପରର ସ୍ଥିତି ଅଧିକ ସଂଗୀନ । ପରିସ୍ଥିତିରେ ସୁଧାର ଆସିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନି । ବୈତରଣୀ ନଦୀର ଜଳସ୍ତର କମିଥିବାବେଳେ ବନ୍ୟାଜଳ ନିଷ୍କାସନ ହୋଇପାରିନି । ତଳିଆ ଅଞ୍ଚଳର ୫ ପଞ୍ଚାୟତରେ ବନ୍ୟାଜଳ ପଶିଛି । ମାଧପୁର, ଘଟପୁର, ତେନ୍ତୁଲିଡହି, ଭଇବୃର୍ତ୍ତୀ,ବଲିଗାଁ, ଭାଟପଡା ପଞ୍ଚାୟତରେ ବନ୍ୟାଜଳ ପଶି ଚାଷ ଜମି ସହ ରାସ୍ତାଘାଟ ପାଣିରେ ବୁଡି ରହିଛି । ସେପଟେ ବନ୍ୟା ବିପନ୍ନଙ୍କ ପାଖରେ ତହସିଲଦାର, ବିଡିଓ, ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରିଲିଫ ବଣ୍ଟନ କରିଛନ୍ତି । ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଦିଆଯାଉଛି ।
ବନ୍ୟାଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ସେବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏକ ସପ୍ତାହ ଭିତରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

   Related Posts