ଭେଟିଲେନି କେଜରିୱାଲ, ତାଙ୍କ କୁଶ ପୁତ୍ତଳିକା ହାତରେ ଦାବିପତ୍ର ଧରାଇଦେଇ ପଳାଇଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | November 08, 2020 IST

ନୂଆଦିଲ୍ଲୀ ୮।୧୧: ରାଜଧାନୀ ଦିଲ୍ଲୀରେ ରବିବାର ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ ଦେଖାଯାଇଛି। ଶସ୍ତାରେ ଶିକ୍ଷା ଉପଲବ୍ଧ କରିବା ଓ ଜି.ବି.ପନ୍ଥ ଇଞ୍ଜିନିୟରିଂ କଲେଜରେ ଆଡମିସନ ପୁଣି ଆରମ୍ଭ କରିବା ଦାବିରେ  ଛାତ୍ରଛାତ୍ରୀ ଗତ ସୋମବାର ଠାରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟସ୍ଥ ବିକାଶ ଭବନ ବାହାରେ ବିକ୍ଷୋଭ କରୁଥିଲେ। ତେବେ ଗତ ୭ ଦିନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଛାତ୍ରଛାତ୍ରୀଙ୍କୁ ଭେଟିବାକୁ ଆସିବା ଦୂରର କଥା ପ୍ରତିନିଧିଙ୍କୁ ମଧ୍ୟ ପଠାଇନଥିଲେ। ଏଣୁ ରବିବାର ବିକ୍ଷୋଭରତ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଏକ କୁଶପୁତ୍ତଳିକା କରି ତାଙ୍କୁ ସେମାନଙ୍କ ଦାବିପତ୍ର ଧରାଇ ପଳାଇଛନ୍ତି।

ସିଭିଲ ଲାଇନ୍ସସ୍ଥିତ ବିକାଶ ଭବନ ସମ୍ମୁଖରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦାବି ନେଇ କ୍ରମିକ ଅନସନ ଓ ବିରୋଧ ପ୍ରଦର୍ଶନ କରିଆସୁଥିଲେ। ରବିବାର ସେମାନଙ୍କ ଆନ୍ଦୋଳନର ସପ୍ତମ ଦିନ ଥିଲା। ଦିଲ୍ଲୀ ପ୍ରଦୂଷଣ ଓ କରୋନା ଭାଇରସ ଭୟ ସହ ଦିନରାତି ଲଢୁଥିବା ଛାତ୍ରଛାତ୍ରୀ ଭାବିଥିଲେ ସରକାରଙ୍କ କେହି ପ୍ରତିନିଧି ସେମାନଙ୍କୁ ଭେଟିବାକୁ ଆସିବେ। ତେବେ ଶେଷ ପର୍ଯ୍ୟନ୍ତ ସେପରି କିଛି ନ ହେବାରୁ ଛାତ୍ରଛାତ୍ରୀ ଅନ୍ୟୋନପାୟ ହୋଇ ଏଭଳି ପଦକ୍ଷେପ ନେଇଥିବା ଜନୈକ ଛାତ୍ରନେତା କହିଛନ୍ତି ।

ଛାତ୍ରଛାତ୍ରୀ ଅରବିନ୍ଦ କେଜରିୱାଲଙ୍କ କୁଶପୁତ୍ତଳିକା କରି ତା ସମ୍ମୁଖରେ ବିନମ୍ର ଭାବେ ହାତ ଯୋଡି ସେମାନଙ୍କ ଦାବି ମାନିନିଅନ୍ତୁ ବୋଲି ନିବେଦନ କରିଥିଲେ। ଏହା ପରେ ପୁତ୍ତଳିକାକୁ ସେମାନଙ୍କ ଦାବିପତ୍ର ଧରାଇ ସେଠାରୁ ପ୍ରସ୍ଥାନ କରିଥିଲେ। ବିକ୍ଷୋଭକାରୀଙ୍କ ଏଭଳି କାର୍ଯ୍ୟକ୍ରମ କାଳରେ ସେଠାରେ ଜି.ବି.ପନ୍ଥ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ସମେତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ କର୍ମକର୍ତ୍ତା ଓ ଛାତ୍ର ସଙ୍ଗଠନ ଏବିଭିପିର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.