ଭାରତରେ ବଢୁଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ ବିପଦ, ତୁରନ୍ତ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ କରିବାକୁ କେନ୍ଦ୍ରକୁ କେଜରିଓ୍ବାଲଙ୍କ ଅପିଲ

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦/୧୧ : କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ର ଭୟାବହତାକୁ ଦୃଷ୍ଟିରେ ରଖି ଦେଶରେ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ବ ଦିଆଯାଉଛି । କେନ୍ଦ୍ର ସରକାର ଏ ନେଇ ଆଡଭାଇଜରୀ ଜାରି କରିବା ପରେ ରାଜ୍ୟ ସରକାରମାନେ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପ​‌ରେ କଡା ନଜର ରଖିଛନ୍ତି । ପଞ୍ଜାବ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟକୁ ଦକ୍ଷିଣ ଆଫ୍ରିକାରୁ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନୂଆ ଭ୍ୟାରିଆଣ୍ଟ ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ।

ବୈଠକରେ କେନ୍ଦ୍ରର ମୋଦି ସରକାରଙ୍କୁ ଅପିଲ କରି କେଜରିଓ୍ବାଲ କହିଛନ୍ତି, ‘ କରୋନାର ନୂଆ ଭ୍ୟାରିଆଣ୍ଟ ଭୟବହ ହେବାରେ ଲାଗିଛି । ତେଣୁ ଏବେ ଠାର ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟତ । ତେଣୁ ବର୍ତ୍ତମାନ ଠାରୁ ହିଁ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବାତିଲ କରନ୍ତୁ କେନ୍ଦ୍ର ସରକାର । ଏହା ସହିତ ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଏବେ ଠାରୁ ପ୍ରସ୍ତୁତ ରୁହନ୍ତି କେନ୍ଦ୍ର ସରକାର ।’

ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ‘ଅନେକ ଦେଶ କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ରୋକ୍‌ ଲଗାଇସାରିଲେଣି । ଆମେ ବିଳମ୍ଭ କାହିଁକି କରୁଛେ । ପ୍ରଥମ ଲହର ବେଳେ ବି ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ କରିବାକୁ ବିଳମ୍ବ କରିଦେଇଥିଲା ଭାରତ । ତେଣୁ ଦେଶରେ ସ୍ଥିତି ଏଭଳି ଭୟଙ୍କର ହୋଇଥିଲା । ଏହା ସହିତ ଅଧିକାଂଶ ବିମାନ ଦିଲ୍ଲୀ ଆସୁଥିବାରୁ ଏଠାରେ ସଂକ୍ରମଣ ମାମଲା ଅଧିକ ରହୁଛି । ଦିଲ୍ଲୀ ସବୁଠାରୁ ବେଶି ପ୍ରଭାବିତ ହେଉଛି । ପ୍ରଧାନମନ୍ତ୍ରୀ ତୁରନ୍ତ ଏ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ।’

ସେପଟେ କର୍ଣ୍ଣାଟକରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଜଣ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେବାପରେ ଭୟା ବାତାବରଣ ରହିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ଡେଲଟା ଭ୍ୟାରିଆଣ୍ଟ ଠାବ କରାଯାଇଥିବା ବେଳେ ଅନ୍ୟ ଜଣେ କେଉଁ ଭ୍ୟାରିଆଣ୍ଟରେ ସଂକ୍ରମିତ ତାହାର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ଗତକାଲି ଅର୍ଥାତ ସୋମବାର କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଏ ନେଇ ସୂଚନା ଦେଇଥିଲେ ।

ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ଦେଶରେ ଯେଉଁ ଟିକା ଦିଆଯାଉଛି ତାହା ସମିକ୍ରନ୍‌ ଭ୍ୟାରିଆଣ୍ଟକୁ ରୋକିବାରେ ସଫଳ ହେଉଛି କି ନାହିଁ ତାହା ମଧ୍ୟ କହିବା ମୁସ୍କିଲ । କାରଣ ଏହି ନୂଆ ଭ୍ୟାରିଆଣ୍ଟ ଡେଲ୍‌ଟା ଏବଂ ଡେଲ୍‌ଟା ପ୍ଲସ୍‌ ଠାରୁ ମଧ୍ୟ ଆହୁରି ବିପଦପୂର୍ଣ୍ଣ । ଫାର୍ମା କମ୍ପାନୀ ମୋଡେର୍ଣ୍ଣା ୨୦୨୨ ସୁଦ୍ଧା ଓମିକ୍ରନ୍‌କୁ ରୋକିବା ପାଇଁ ଭ୍ୟାକସିନ୍‌ ଆଣିପାରେ । ଏହି ଭାଇରସ୍ ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ୧୭ଟି ଦେଶକୁ ବ୍ୟାପିଗଲାଣି । ଯେଉଁଥିରେ ନେଦରଲାଣ୍ଡ, ବ୍ରିଟେନ୍‌, ଅ​‌େ​‌ଷ୍ଟ୍ରଲିଆ, ଡେନ୍‌ମାର୍କ ଭଳି ଦେଶ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.