ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ, ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି
28/02/2019 at 8:56 PM

ବ୍ରହ୍ମପୁର୨୮|୨୮(ସୁରଜିତ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ ।

ପ୍ରଥମେ ଗୋପାଳପୁର ବନ୍ଦରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ବନ୍ଦରର ନୂତନ ବର୍ଥକୁ ଉଦଘାଟନ କରିବା ପରେ ସାଧାରଣ ସଭାରେ ଯୋଗ ଦେଇ ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଗୋପାଳପୁର ଗସ୍ଥ ପରେ ଶେରଗଡ ଓ ସାନଖେମୁଣ୍ଡି ବ୍ଳକ୍ ଗସ୍ତ କରି ପାଖାପାଖି ୧୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଭିତ୍ତିପ୍ରସ୍ଥର ସ୍ଥାପନ ସହ ଶୁଭ ଉଦଘାଟନ କରିଥିଲେ ।

ବିକାଶକୁ ଗୁରୁତ୍ବ ଦେଉଛୁ । ବିକାଶ ହିଁ ପ୍ରଥମ ଲକ୍ଷ୍ୟ । ଆଗାମୀ ଦିନରେ ଏଭଳି ବିକାଶ ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶେରଗଚ, ଆସିକା, ଧରାକୋଟ ପ୍ରମୁଖ ଅଞ୍ଚଳର ଜଳ ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ସାଧାରଣ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ପଚାରିଥିଲେ ଆପଣମାନେ ଖୁସି ତ! ସମସ୍ତେ ଏକ ସ୍ବରରେ ହଁ ବୋଲି କହିବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ଖୁସି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ସାନଖେମୁଣ୍ଡି ବିଧାୟକ ନନ୍ଦିନୀ ଦେବୀ ଖୁସି ବୋଲି କହିଛନ୍ତି । ବହୁ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ହଜାର ହଜାର ସମର୍ଥକଙ୍କ ଜନଗହଳି ହୋଇଥିଲା । ସାନଖେମୁଣ୍ଡିରେ ୨୫ହଜାରରୁ ଅଧିକ ସମର୍ଥକଙ୍କ ଜନସମାଗମ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନାରେ ସାଧାରଣ ଲୋକେ ଉପକୃତ ହୋଉଥିବାରୁ ବହୁତ ଖୁସି ବୋଲି କହିଛନ୍ତି ସାଧାରଣ ଲୋକେ। ନେତା, ମନ୍ତ୍ରୀ ମଧ୍ୟ ବେଶ୍ ଖୁସିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଦିନିକିଆ ଗଞାମ ଜିଲ୍ଲା ଗସ୍ତ ଶେଷକରି ଗଜପତି ଜିଲ୍ଲା ଗସ୍ତ କରିଥିଲେ।