ପଦୋନ୍ନତି ପାଇବେ ରାଜ୍ୟର ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 30, 2021 IST

ଭୁବନେଶ୍ୱର, ୩୦/୦୭: ପଦୋନ୍ନତି ପାଇବେ ରାଜ୍ୟର ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ । ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡ଼ିକ ମଧ୍ୟ ପୂରଣ ହୋଇପାରିବ । ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ପରିଚାଳନାରେ ଉନ୍ନତି ଆସିବା ନେଇ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ କୃତଜ୍ଞତା ଜ୍ଞାପନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ରେସିଡେନ୍ସି ପିରିଅଡକୁ କମ୍ କରିବା ଯୋଗୁ ୫(ଏ) ସ୍ତରରେ ଥିବା ୨୯,୭୫୯  ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ । ସେହିପରି ୫(ବି) ସ୍ତରରେ ଥିବା ୨୯,୭୫୯ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪ କୁ ପଦୋନ୍ନତି ପାଇବେ ।  ଲେଭେଲ-୪ ରେ ଥିବା ୩୭୮୫ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩ କୁ ପଦୋନ୍ନତି ପାଇବେ। ଲେଭେଲ ୫(ବି) ରେ ଥିବା ସହକାରୀ ଶିକ୍ଷକଙ୍କ ପାଇଁ ରେସିଡେନସି  ପିରିଅଡକୁ ଏକ ବର୍ଷରୁ ୬ ମାସ କରାଯାଇଛି । ଲେଭେଲ-୪ ରୁ ଲେଭେଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡେନସି ପିରିଅଡ୍ ସୀମା ୨ ବର୍ଷରୁ ୧ ବର୍ଷକୁ ହ୍ରାସ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ପ୍ରାଥମିକ ଶିକ୍ଷକ ମହଲରେ ଆନନ୍ଦ ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି ଶିକ୍ଷକ ସଂଘ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦୋନ୍ନତି ପାଇବାକୁ ଯାଉଥିବା ସବୁ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.